ରାୟଗଡା : ଜନ ଅଭିଯୋଗ ଶୁଣାଣିରେ ଅଭାବନୀୟ ଦୃଶ୍ୟ। ଶିବିର ଆଗରେ ବିଷ ବୋତଲ ଧରି ବସିଲେ ପରିବାର। ଜମିବାଡ଼ି ଘଟଣାକୁ ନେଇ ପରିବାରକୁ ନିର୍ଯାତନା ଅଭିଯୋଗରେ ଏହି ପଦକ୍ଷେପ ନେଇଛନ୍ତି ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଅଞ୍ଚଳରେ । ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳି ନ ଥିଲା। ଏଥିଯୋଗୁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ କୀଟନାଶକ ଔଷଧ ଧରି ସପରିବାର ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି।
ରାୟଗଡା ତହସିଲ ଅଧୀନ ରାମଚନ୍ଦ୍ରପୁର ଅଞ୍ଚଳର ମହିଳା ୟେଦଲା ଲକ୍ଷ୍ମୀ ଦୀର୍ଘ ବର୍ଷ ହେବ ସରକାରୀ ଜମିରେ ଚାଷ କରିଆସୁଥିଲେ। କିନ୍ତୁ କିଛି କୁଚକ୍ରି ଗୋଷ୍ଠୀ ଉକ୍ତ ଜମିକୁ ଅକ୍ତିଆର କରି ସେଠାରେ ପ୍ଲଟିଂ କରିବାକୁ ଉଦ୍ଯମ କରୁଛନ୍ତି। ଏନେଇ ୟେଦଲା ସପରିବାର ଥାନାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କୈଣସି ସୁଫଳ ମିଳିନଥିଲା।
ତାଙ୍କ ପରିବାର ସହ ଜମିବାଡ଼ି ଘଟଣାକୁ ନେଇ କିଛି ଦୁର୍ବୃତ୍ତ ନିର୍ଯାତନା ଦେଉଥିବା ତାଙ୍କ ସ୍ବାମୀ ୟେଦଲା ଗଙ୍ଗୁଲୁ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ବେଳେ ଏହି ପରିବାର ରାସ୍ତା ବାହାରେ କୀଟନାଶକ ଓଷଧ ଧରି ବସିଥିଲେ। ସେପଟେ ଘଟଣା ସଂକ୍ରାନ୍ତରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଜାଣିବାକୁ ପାଇ ଉପଜିଲ୍ଲାପାଳ ଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ ପୋଲିସ ସହାୟତାରେ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ପରିବାରକୁ ବୁଝାସୁଝା କରିବା ସହ ସେମାନଙ୍କ ଠାରୁ କୀଟନାଶକ ଔଷଧ ଜବତ କରିଥିଲେ। ଖୁବଶୀଘ୍ର ନିର୍ଯାତିତ ପରିବାରକୁ ନ୍ୟାୟ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।








