ଜାତୀୟ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା, ୧୨ ଉଦ୍ଧାର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । NDRF, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ପରେ ଦିଲ୍ଲୀ ପୋଲିସ କୋଠା ମାଲିକ ହରି ରାମଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ପୋଲିସ ତାଙ୍କୁ ଖୋଜିବା ସହ ଘଟଣା ପାଇଁ ଦାୟୀ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ କରୁଛି । ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି ।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ବଡ଼ ଦାବି କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସର ଉତ୍ତରପ୍ରଦେଶ ଶାଖା ସଭାପତି ଅଜୟ ରାୟ । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। କେବଳ କୋଠା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରି, ଯେଉଁ ଅଧିକାରୀମାନେ ଏଭଳି ନିର୍ମାଣ ଯୋଜନାକୁ ଅନୁମତି ଦେଇଥିଲେ ଏବଂ ନିର୍ମାଣକୁ ଅନୁମତି ଦେଇଥିଲେ, ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି । ଘଟଣାରେ ମୃତ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ସହ ପରିବାରକୁ ସରକାରୀ ଚାକିରି କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଏତେ ବଡ଼ କୋଠାର ନା ଥିଲା ମଞ୍ଜୁରିପ୍ରାପ୍ତ ବିଲ୍ଡିଂ ପ୍ଲାନ୍, ନା ଥିଲା ଫାୟାର NOC। ତଥାପି ଏଠାରେ ୭୫ ଜଣ ଛାତ୍ରଛାତ୍ରୀଙ୍କ ରହିବା ବ୍ୟବସ୍ଥା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । କୋଠାର ରକ୍ଷଣାବେକ୍ଷଣରେ ଅବହେଳା ଏବଂ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସର ନିକଟ ସତ୍ୟ ନିକେତନରେ ରବିବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ମରାମତି କାମ ଚାଲିଥିବା ସମୟରେ ୫ ମହଲା କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହି କୋଠାରେ ଛାତ୍ରମାନଙ୍କ ପାଇଁ ପେଇଂ ଗେଷ୍ଟ (ପିଜି) ରହଣି ବ୍ୟବସ୍ଥା ଥିଲା ।

ଦିଲ୍ଲୀ ପୋଲିସ ସାଉଥ୍ କ୍ୟାମ୍ପସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ FIR ରୁଜୁ କରିଛି । ଧାରା ୧୦୫, ଅଜାଣତରେ ଦଣ୍ଡନୀୟ ନରହତ୍ୟା, ଧାରା ୨୯୦, କୋଠା ନିର୍ମାଣ, ଭାଙ୍ଗିବା ବା ମରାମତି ବେଳେ ଅବହେଳା ପ୍ରଦର୍ଶନ, ଏବଂ ଧାରା ୧୨୫, ଅନ୍ୟମାନଙ୍କ ଜୀବନ ଓ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ଅଧୀନରେ ମାମଲା ଦାଏର କରିଛି । ଏନ୍ଡିଆରଏଫ୍ ଆଇଜିଙ୍କ ଅନୁସାରେ, ମୋଟ ୧୨ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରିବା ପାଇଁ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ଉଦ୍ୟମ ଜାରି ରଖିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ଦିଲ୍ଲୀ ସରକାର ଗୁରୁତର ଭାବେ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । କଥିତ ମାଲିକ ହରି ରାମ ବଂଶଲ ଓ ଆନନ୍ଦ ବଂଶଲଙ୍କ ବିରୋଧରେ FIR ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL