ଜାତୀୟ

ବଢ଼ିଲା ୬ ରବି ଫସଲର MSP, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ ମୂଲ୍ୟ ବା MSP ବୃଦ୍ଧିକୁ ଅନୁମୋଦନ ମିଳିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଗହମର MSP କ୍ୱିଣ୍ଟାଲ ପିଛା ୨୫ ଟଙ୍କା ବଢ଼ି ୨,୬୧୦ ଟଙ୍କା ହୋଇଛି। ବାର୍ଲିର MSP ୧୩୬ ଟଙ୍କା ବଢ଼ି ୨,୨୮୬ ଟଙ୍କା, ଚଣା ୮୩ ଟଙ୍କା ବଢ଼ି ୫,୯୫୮ ଟଙ୍କା ଏବଂ ମଶୁର ଡାଲିର MSP ୩୯୦ ଟଙ୍କା ବଢ଼ି ୭,୩୯୦ ଟଙ୍କା ହୋଇଛି। ସେହିପରି ସୋରିଷର MSP ୪୧୩ ଟଙ୍କା ବଢ଼ି ୬,୬୧୩ ଟଙ୍କା ଏବଂ କୁସୁମର MSP ୬୭୫ ଟଙ୍କା ବଢ଼ି ୭,୨୧୫ ଟଙ୍କା ପ୍ରତି କ୍ୱିଣ୍ଟାଲ ହୋଇଛି। କୁସୁମରେ ସର୍ବାଧିକ ୬୭୫ ଟଙ୍କା ବୃଦ୍ଧି ହୋଇଛି।

ସରକାର କହିଛନ୍ତି, ଏହି MSP ବୃଦ୍ଧି ଅଲ୍ ଇଣ୍ଡିଆ ଓଜନଯୁକ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣା MSP ଦେବା ନୀତି ଆଧାରରେ କରାଯାଇଛି। ଉତ୍ପାଦନ ଖର୍ଚ୍ଚ ଉପରେ ଗହମରେ ୧୦୬ ପ୍ରତିଶତ, ସୋରିଷରେ ୯୬ ପ୍ରତିଶତ, ମସୁରରେ ୯୨ ପ୍ରତିଶତ, ଚଣାରେ ୫୯ ପ୍ରତିଶତ, ବାର୍ଲିରେ ୫୮ ପ୍ରତିଶତ ଏବଂ କୁସୁମରେ ୫୦ ପ୍ରତିଶତ ମାର୍ଜିନ୍ ରହିବ ବୋଲି ସରକାର କହିଛନ୍ତି। ଏହା ମାଧ୍ୟମରେ ଡାଲି ଓ ତୈଳବୀଜ ଚାଷ ସହ ଫସଲ ବିବିଧତାକୁ ଉତ୍ସାହ ଦେବା ଲକ୍ଷ୍ୟ ରହିଛି।

କ୍ରୟ ପରିମାଣକୁ ନେଇ ମଧ୍ୟ ସରକାର ତଥ୍ୟ ଦେଇଛନ୍ତି। ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ୩,୭୧୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣାଯାଇଥିବା ବେଳେ ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଏହା ୨,୨୫୪ ଲକ୍ଷ ମେଟ୍ରିକ୍ ଟନ୍ ଥିଲା। ୬ଟି ରବି ଫସଲକୁ ମିଶାଇ କ୍ରୟ ପରିମାଣ ମଧ୍ୟ ୩,୯୨୧ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହି ସମୟରେ ଗହମ ଚାଷୀଙ୍କୁ MSP ବାବଦରେ ୭.୩୧ ଲକ୍ଷ କୋଟି ଟଙ୍କା ଏବଂ ୬ଟି ରବି ଫସଲ ପାଇଁ ମୋଟ ୮.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସରକାର କହିଛନ୍ତି। ଏହା ସହ ଗ୍ରୀନ୍ ଏନର୍ଜି କରିଡର ଫେଜ୍-୩ ବା GEC-IIIକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫ GW ପର୍ଯ୍ୟନ୍ତ ଅକ୍ଷୟ ଶକ୍ତିକୁ ଗ୍ରିଡ୍‌ରେ ଯୋଡ଼ିବା ଏବଂ ପରିବହନ କରିବା ପାଇଁ ଟ୍ରାନ୍ସମିସନ୍ ବ୍ୟବସ୍ଥା ବିକଶିତ କରାଯିବ। ଏଥିରେ ୫୦ GWh ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍‌ ମଧ୍ୟ ରହିବ।

ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ୧.୮୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏଥିରୁ ପ୍ରାୟ ୧.୩୬ ଲକ୍ଷ କୋଟି ଟଙ୍କା InSTS ପାଇଁ ଏବଂ ୫୦ ହଜାର କୋଟି ଟଙ୍କା BESS ପାଇଁ ଖର୍ଚ୍ଚ ହେବ। କେନ୍ଦ୍ର ସରକାର ୫୪,୦୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ। ୨୦୩୨-୩୩ ଆର୍ଥିକ ବର୍ଷ ସୁଦ୍ଧା ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି। ଏହା ସହ ଦେଶର ଅକ୍ଷୟ ଶକ୍ତି କ୍ଷମତା ବଢ଼ାଇବା, ଶକ୍ତି ସୁରକ୍ଷା ମଜବୁତ କରିବା ଓ ନୂଆ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଦିଲ୍ଲୀ ପାଇଁ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମାନେଜମେଣ୍ଟ ସିଷ୍ଟେମ୍ ବା ITMS ସମ୍ପର୍କିତ ନିଷ୍ପତ୍ତିକୁ ମଧ୍ୟ ମଞ୍ଜୁରୀ ମିଳିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL