ଜାତୀୟ

CJP ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିବାକୁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ରବିବାର ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ କ୍ୟାଣ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଏହି ତିନି ଜଣଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ନେଇ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରିଥିଲା । ଏବେ ଏହି ମାମଲାରେ CJP ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି । CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ କହିଛନ୍ତି ଯେ ତିନି ଜଣଙ୍କୁ ଛାଡ଼ିବା ପାଇଁ ମାଜିଷ୍ଟ୍ରେଟ୍ କୋର୍ଟ ଆଦେଶ ଦେଇଛନ୍ତି। ଏହା ସହିତ କୋର୍ଟ କିଛି ସର୍ତ୍ତ ରଖି ସେମାନଙ୍କୁ ଜାମିନ ଦେଇଛନ୍ତି ।

ରତ୍ନା ସିଂହ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଭଙ୍ଗ ନକରିବା ସର୍ତ୍ତରେ ତିନି ଜଣଙ୍କୁ ଜାମିନ ଦିଆଯାଇଛି । ଏହା ପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ । ଶନିବାର ଅର୍ଥାତ୍ ୧୦ ଅକ୍ଟୋବରରେ ଦିଲ୍ଲୀ ବିମାନବନ୍ଦରରୁ ବାହାରିବା ପୂର୍ବରୁ ହିଁ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।

ଏହାରି ମଧ୍ୟରେ ଜନ୍ତରମନ୍ତରରେ କକରୋଚ୍ ଜନତା ପାର୍ଟି (CJP)ର ବିରୋଧ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଶନିବାର ବିଳମ୍ବିତ ରାତିରେ ମୁକ୍ତ କରାଯାଇଛି । ରବିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏଥିସହ ଜଣେ ପୋଲିସ ସୂତ୍ରର ଏକ ଅଧିକାରୀ କହିଛନ୍ତି ଯେ, “ନିଷେଧାଦେଶ ଲାଗୁ ହୋଇଥିବା ସତ୍ତ୍ୱେ ଯଦି ରାଠୀ ଜନ୍ତରମନ୍ତର ଯିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ପୁଣି ଅଟକ ରଖାଯାଇପାରେ କିମ୍ବା ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ।”ରାଠୀଙ୍କୁ ଶନିବାର ଗୁରୁଗ୍ରାମର ସେକ୍ଟର-୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖାଯାଇଥିଲା । ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ବିଭିନ୍ନ ସ୍ଥାନରୁ ୭,୦୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଦିଲ୍ଲୀ ପୋଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି । SIR ସମ୍ପର୍କିତ କଥିତ ଅନିୟମିତତାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନକାରୀମାନେ ଯେପରି ଜନ୍ତରମନ୍ତରରେ ଆନ୍ଦୋଳନ କରିପାରିବେ ନାହିଁ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL