ବାରିପଦା: ବାରିପଦା ଐତିହ୍ୟ କୋଠାରୁ ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବାରିପଦା ବଡ଼ବଜାର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେବା ସହ ସ୍ଥାନାନ୍ତର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ।
କଲେଜର ପୁରାତନ ଐତିହ୍ୟ କୋଠାକୁ ଅସୁରକ୍ଷିତ ଘୋଷଣା କରାଯିବା ପରେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । କଲେଜକୁ ସହର ବାହାରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଗ୍ରହଣ କରିପାରିନାହାନ୍ତି । ବାରିପଦା ନଗରପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସତ୍ତ୍ୱେ ନିଜ ଜିଦରେ ଅଟଳ ଛାତ୍ରଛାତ୍ରୀ । ଜିଲ୍ଲାପାଳ ନିଜେ ଘଟଣାସ୍ଥଳକୁ ଆସି କଲେଜ ସ୍ଥାନାନ୍ତର ହେବ ନାହିଁ ବୋଲି ସ୍ପଷ୍ଟ ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।








