ଓଡ଼ିଶା

୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ, ଚାଷୀଙ୍କ ବିରୋଧରେ ଚାଲିଛି କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ: ୨୦୨୭ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇମୁକ୍ତ କରିବା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କନ୍ଧମାଳରୁ ହଟିବ ଗଞ୍ଜେଇର କଳାବାଦଲ। ଗଠନ ହେବ ସୁସ୍ଥ ସମାଜ। ବଦଳିବ କନ୍ଧମାଳର ଚିତ୍ର।

ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚାଷୀଙ୍କ ବିରୋଧରେ ଚାଲିଛି କାର୍ଯ୍ୟାନୁଷ୍ଠାନ। କନ୍ଧମାଳ ସଦର ଥାନା କାକେନ୍ଦ୍ରୀ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିବା ସହ ୩ ଗଞ୍ଜେଇ ଚାଷୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ ଚାଷ ଛାଡ଼ି ବିକଳ୍ପ ଚାଷ ଓ ଅନ୍ୟ ଜୀବିକା ଆପଣାଇବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କନ୍ଧମାଳ ଏସ୍‌ପି।

ଦୁଇ ଦିନ ତଳେ କନ୍ଧମାଳ ଗସ୍ତରେ ଆସି ଆଇଜି ହିମାଂଶୁ ଲାଲ୍‌ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଯାଇ ଗଛ କାଟିବା ଅଭିଯାନରେ ସାମିଲ ହୋଇଥିଲେ। ଗଞ୍ଜେଇ ଚାଷ ଏବଂ ଏହାର ବେଆଇନ ଚାଲାଣ ରୋକିବା ପାଇଁ ପୋଲିସ ବିଭିନ୍ନ ଅଞ୍ଚଳରେ କଡ଼ା ଚଢ଼ାଉ ଜାରି ରଖିଛି।

ଜିଲ୍ଲାର ଦୁର୍ଗମ ଅଞ୍ଚଳଗୁଡ଼ିକରେ ହେଉଥିବା ବେଆଇନ ଗଞ୍ଜେଇ ଗଛକୁ ଚିହ୍ନଟ କରି ସେଗୁଡ଼ିକୁ ପୋଡ଼ି ନଷ୍ଟ କରିବା ପାଇଁ ବ୍ୟାପକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଚାଷୀମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ଏବଂ ସେମାନଙ୍କୁ ଅନ୍ୟ ଲାଭଜନକ ବିକଳ୍ପ ଫସଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL