ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିଜ ପସନ୍ଦର ପ୍ରତିନିଧି ଚୟନ କରିଛନ୍ତି ଛାତ୍ରଛାତ୍ରୀ ।ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଛାତ୍ରଛାତ୍ରୀ। ୧୨ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବିରେ ୩୫୮ ପ୍ରାର୍ଥୀ ଏବଂ ମହାବିଦ୍ୟାଳୟରେ ୬,୮୯୧ ପ୍ରାର୍ଥୀ ରହିଛନ୍ତି। ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି।
ଏହାରି ମଧ୍ୟରେ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ ଏବଂ ଜୟଦେବ କଲେଜରେ ଏବିଭିପିର ବିଜୟ ହୋଇଛି। ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ହାସଲ କରିଥିବା ବେଳେ ରାଜଧାନୀ କଲେଜରେ ଅବିନାଶ ପାଢ଼ୀ ସଭାପତି ପଦ ହାସଲ କରିଛି।
ସେହିପରି ଅନୁଗୁଳ ମହିଳା କଲେଜ, ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ କଲେଜ, କେନ୍ଦ୍ରାପଡ଼ାର ମାର୍ଶାଘାଇ ଓ ଅନ୍ତେଇ କଲେଜ, କଟକ କିଶୋର କଲେଜ, ଅନ୍ତେଇର ବିଜୁ ପଟ୍ଟନାୟକ କଲେଜ ଏବଂ ଧାମନଗର କଲେଜରେ ମଧ୍ୟ ABVP ବିଜୟୀ ହୋଇଛି । କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ପାରମିତା ନାୟକ ସଭାପତି ହୋଇଛନ୍ତି। ସମ୍ବଲପୁରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ।
ଏପଟେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ବିଜେଡିର ବିଶାଳ ବିଜୟ । ଛାତ୍ର ବିଜେଡି ସମର୍ଥିତ ପାର୍ଥୀ ବିଶ୍ୱଜିତ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ଅରବିନ ରଥଙ୍କୁ ହରାଇ ବିଶ୍ୱଜିତ ବିଜୟ ହାସଲ କରିଛନ୍ତି ।ଫଳାଫଳ ଘୋଷଣା ହେବା ପରେ ରେଭେନ୍ସା କ୍ୟାମ୍ପସ୍ ଭିତରେ ବିସିଜେଡି ଶିବିରରେ ଜୋରଦାର ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ସମର୍ଥକ ଛାତ୍ରଛାତ୍ରୀମାନେ ବାଣ ଫୁଟାଇ, ପରସ୍ପରକୁ ରଙ୍ଗ-ଅବିର ବୋଳି ନିଜ ପ୍ରିୟ ନେତାଙ୍କୁ କାନ୍ଧରେ ବସାଇ ବିଜୟ ଶୋଭାଯାତ୍ରା କରିଥିଲେ ।
ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ସେ ନିକଟତମ AVBP ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ରମାଦେବୀରୁ ରେଭେନ୍ସା ପର୍ଯ୍ୟନ୍ତ ଏହି ଦୁଇ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିସିଜେଡିର ଏହି ଦମଦାର ବିଜୟ ରାଜ୍ୟ ଛାତ୍ର ରାଜନୀତିରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିଛି ।








