ନୟାଗଡ : ବାରହା ଜଗିବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଜଣଙ୍କ ଜୀବନ । ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ରାବେରା ଗ୍ରାମ ନିକଟ କୁସୁମୀ ନଦୀ ପାଣିରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ରାବେରା ଗ୍ରାମର ତ୍ରିନାଥ ମହାପାତ୍ର ଏବଂ ନରସିଂହ ମହାପାତ୍ର ।
କୁସୁମୀ ନଦୀ କୂଳରେ ଥିବା ଫସଲ ବାରହା ଆସି ନଷ୍ଟ କରିଦେଉଥିବାରୁ ବୁଧବାର ସନ୍ଧ୍ଯାରେ ଉଭୟ ବାରହା ଜଗିବାକୁ ଜମି ନିକଟକୁ ଯାଇଥିଲେ । ଗୁରୁବାର ସକାଳେ ନଦୀ ପାଣିରେ ତ୍ରିନାଥଙ୍କ ମୃତଦେହ ପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ପରେ ବହୁ ଖୋଜାଖୋଜି କରିବା ପରେ ନରସିଂହଙ୍କ ମୃତଦେହ କିଛି ଦୂରରେ ନଦୀ ପାଣିରୁ ମିଳିଥିଲା । ତେବେ ଉଭୟ ପାଣିକୁ କିଭଳି ଗଲେ ଏବଂ ସେମାନଙ୍କର କିଭଳି ମୃତ୍ଯୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଦୁଇଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଓଡଗାଁ ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।








