ଭୁବନେଶ୍ୱର : ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ସହ ଯୋଡ଼ି ହୋଇରହିଛି ନବୀନ ପଟ୍ଟନାୟକଙ୍କ ନାଁ । ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ଆଉ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳ ନେତା । ଶାସନ କ୍ଷମତାରୁ ବିରୋଧୀ ଆସନ ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରାରେ ରହିଛି ଅନେକ ଉତ୍ଥାନପତନ । ଅକ୍ଟୋବର ୧୬ ତାରିଖରେ ୮୦ ବର୍ଷରେ ପଦାର୍ପଣ କରୁଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦିନେ ଓଡ଼ିଶାର ରାଜନୀତିରେ ଏତେ ଦୀର୍ଘ ସମୟ ଧରି ନେତୃତ୍ୱ ଦେବେ, ତାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ସମୟରେ ସହଜରେ ଅନୁମାନ କରାଯାଇ ନଥିଲା । ଲେଖକ ଓ ସଂସ୍କୃତିପ୍ରେମୀ ଭାବେ ପରିଚିତ ନବୀନ ପରବର୍ତ୍ତୀ ସମୟରେ ରାଜ୍ୟର ଶାସନ ଓ ରାଜନୀତିର ଏକ ପ୍ରମୁଖ ଚେହେରା ପାଲଟିଥିଲେ ।
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହାରେ ସକ୍ରିୟ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ । ଆସିକା ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇ ଆରମ୍ଭ କରିଥିଲେ ନିଜ ସଂସଦୀୟ ଯାତ୍ରା । ସେହି ବର୍ଷ ଡିସେମ୍ବରରେ ବିଜୁ ଜନତା ଦଳ ଗଠନ ହେବା ପରେ ଦଳର ନେତୃତ୍ୱ ନେଇଥିଲେ । ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
୨୦୦୦ରୁ ୨୦୨୪ ଲଗାତାର ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥିଲେ। ୫ ମାର୍ଚ୍ଚ ୨୦୦୦ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଏହାପରେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଲଗାତାର ନିର୍ବାଚନୀ ସଫଳତା ହାସଲ କରି ପାଞ୍ଚ ପାଳି ଧରି ମୁଖ୍ୟମନ୍ତ୍ରୀ ରହିଥିଲେ । ଦେଶର ଦୀର୍ଘତମ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ତାଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ଏକ ଦୀର୍ଘସ୍ଥାୟୀ ଆଞ୍ଚଳିକ ଶାସକ ଦଳ ଭାବେ ପ୍ରତିଷ୍ଠିତ ହୋଇଥିଲା ।
ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ। ନବୀନଙ୍କ ପାଇଁ ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିଜେଡି ପକ୍ଷରୁ ଦୀପଦାନ ଓ ପୂଜାର୍ଚ୍ଚନା ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ ନବୀନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରିଛନ୍ତି।









