ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡ଼ି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ପତ୍ନୀ କୁନି ମହାନ୍ତ( ୩୮)ଙ୍କ କଙ୍କାଳର କିଛି ହାଡ଼ ,ଖପୁରୀ,ଚୁଡ଼ି,ମାଳି ଓ ଏକ ଗଛ ରେ ଝୁଲୁଥିବା ଶାଢ଼ୀ ଘଟଗାଁ ପୁଲିସ ଜବତ କରିଛି। ଗତ ଜୁନ୍ ୪ ରୁ କୁନି ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଗତକାଲି ଘାଟ ବାଲିଯୋଡ଼ି ଗ୍ରାମ ସଂଲଗ୍ନ ଅଟେଇ ଜଙ୍ଗଲରେ କଙ୍କାଳ ପଡ଼ିଥିବା ଗ୍ରାମରକ୍ଷୀଙ୍କ ଠାରୁ ଖବର ପାଇ ଘଟଗାଁ ଏସ ଡି ପି ଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ,ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା ଏସ ଆଇ ଗାଙ୍ଗିଆ ଲାକ୍ରା,ଏ ଏସ ଆଇ ପଞ୍ଚମୀ ମହାନ୍ତ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ।
କଙ୍କାଳ ଓ ଶାଢ଼ୀ ଇତ୍ୟାଦି ନିଖୋଜ ଥିବା କୁନି ମହାନ୍ତଙ୍କର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିବା ପରେ ପୁଲିସ କୁନି ଙ୍କ ସ୍ଵାମୀ ତ୍ରିଲୋଚନ ମହାନ୍ତ (୪୨) ଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି। ବର୍ଷା ସତ୍ତ୍ୱେ ଆଜି ଅପରାହ୍ନ ରେ ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନଭିନ କରିଛି। ଅପରପକ୍ଷେ ତାଙ୍କ ଝିଅ କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିବା କୁନିଙ୍କ ପିତା ଭିମାପଡ଼ା ଗ୍ରାମର ଚନ୍ଦ୍ରମଣୀ ମହାନ୍ତ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ୫୪୦/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି । ମୃତା କୁନିଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସ୍ୱାମୀଙ୍କ ନିର୍ଯାତନା କାରଣରୁ କୁନି ଅଧିକାଂଶ ସମୟ ବାପ ଘର ଭୀମାପଡା ଗ୍ରାମରେ ରହୁଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ତେବେ ଛୁଆ ପିଲା ଙ୍କ ମୁହଁ କୁ ଚାହିଁ ଘାଟବାଲି ଯୋଡ଼ି ଗ୍ରାମକୁ ଆସିଥିବାବେଳେ ସ୍ବାମୀ ଙ୍କ ଗାଳି ଗୁଲଜ ଯୋଗୁଁ ସେ ଘରୁ ବାହାରି ଯାଇ ଜଙ୍ଗଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି। ଏସ ଆଇ ଗାଂଗିଆ ଲାକ୍ରା ଘଟଣାର ତଦନ୍ତ ଭାର ନେଇଛନ୍ତି।









