ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ହରିପୁର ଗ୍ରାମର ରବୀନ୍ଦ୍ର ଗୁରୁ ଓ ତାଙ୍କ ପୁଅ ପବିତ୍ର ଗୁରୁ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବାପା ରବୀନ୍ଦ୍ର ଓ ପୁଅ ପବିତ୍ର ବିଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ବିଲ ନିକଟରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରଥମେ ରବୀନ୍ଦ୍ର ଗୁରୁ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ପବିତ୍ର ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ଘଟଣା ସମ୍ପର୍କରେ ଖବର ପାଇ ନାଚୁଣୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ଟାଙ୍ଗୀ ମେଡିକାଲକୁ ପଠାଇ ତଦନ୍ତ ଜାରି ରହିଛି । ଗୋଟିଏ ପରିବାରର ଦୁଇ ଜଣଙ୍କ ଏଭଳି ଅକାଳ ବିୟୋଗରେ ସମଗ୍ର ହରିପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।







