ପୁରୀ: ସାବଧାନ! ପୁରୀରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ । ଧର୍ମ ମାସ କାର୍ତ୍ତିକରେ ଧର୍ମ ନାଁରେ ଚଳାଇଛନ୍ତି ଅଧର୍ମ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଜଗା ଦର୍ଶନ ଆଳରେ ଲୁଟୁଛନ୍ତି ଟଙ୍କା । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଗାଇଡ୍ କରିବା ଆଳରେ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ନକଲି ଗୁମାସ୍ତାଙ୍କ ବିରୋଧରେ ଆକ୍ସନ ମୋଡରେ ପୁରୀ ପୋଲିସ । ବହୁଦିନରୁ ଏପରି ଅଭିଯୋଗ ପରେ ସିଂହଦ୍ୱାର ପୋଲିସ ଓ ପୁରୀ ପୋଲିସ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଭକ୍ତଙ୍କୁ ଭଗବାନ ଦେଖାଇବା ନାଁରେ ଠକୁଥିବା ଲୋକଙ୍କୁ ବୁଲି ବୁଲି ଠାବ କରିଛି ପୋଲିସ । ୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏମାନେ ଜୋରଜବରଦସ୍ତ ଭକ୍ତଙ୍କୁ ଗାଇଡ୍ କରିବାକୁ ପ୍ରସ୍ତାବ ଦେଉଥିଲେ । ଅରାଜି ହେବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିକଟରୁ ୨,୬୬୦ ଟଙ୍କା ଜବତ କରାଯାଇଛି । ଗିରଫ ୯ଜଣଙ୍କ ମଧ୍ୟରୁ ୫ଜଣଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ମାସକରେ ପ୍ରାୟ ୩୦ଜଣ ଏପରି ଠକଙ୍କୁ ଧରିଲାଣି ପୋଲିସ ।
ପୁରୀରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ, ଜଗା ଦର୍ଶନ ଆଳରେ ଶ୍ରଦ୍ଧାଳୁଙ୍କଠାରୁ ଲୁଟୁଛନ୍ତି ଟଙ୍କା









