ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍ବୋର୍ଡ୍ ଗୁଡ଼ିକରେ ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।
ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ସୂଚନାଥାଉକି, ଗତ ୨୨ ଜୁନ୍ ରେ ଓଡ଼ିଶା ସରକାରଙ୍କ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ସଂଶୋଧିତ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସାଇନ୍ବୋର୍ଡରେ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସେହିପରି, ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଛଅ ମାସର ସମୟସୀମା ରଖାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଅନେକ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଏହାର ଅଂଶସ୍ୱରୂପ Angulକୁ Anugola, Balasoreକୁ Baleshwar, Kendraparaକୁ Kendrapada ଏବଂ Cuttackକୁ KATAKA ଭାବେ ସଂଶୋଧିତ ଇଂରାଜୀ ବନାନରେ ବ୍ୟବହାର କରାଯାଉଛି।







