ଯାଜପୁର: ଝାଡ଼ାବାନ୍ତି ସଚେତନତା ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କା ହରିଲୁଟ ଅଭିଯୋଗର ତନାଘନା ତଦନ୍ତ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଁଚିଲେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମ । ଅତିରିକ୍ତ ନିର୍ଦେଶକ ଡ. ପାଇକରାୟଙ୍କ ନେତୃତ୍ୱରେ ଏକ ଚାରିଜାଣିଆ ଟିମ୍ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି ।
ସମସ୍ତ ଖାତା ଖତିଆନ ସମେତ ସମସ୍ତ ଦସ୍ତାବିଜକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ତଦନ୍ତକାରୀ ଟିମ । ଏହି କାମ ପାଇଁ କୌଣସି ଟେଣ୍ଡର କରା ନଯାଇ ନିର୍ଦ୍ଦିଷ୍ଟ ଗୋଟିଏ ସଂସ୍ଥାକୁ ଦେଢ଼ କୋଟିର କାମ ଯୋଗାଇ ଦିଆଯାଇଥିଲା । କାର୍ଯ୍ୟ କରିବା ପାଇଁ ସଂପୃକ୍ତ ସଂସ୍ଥାକୁ ସିଡିଏମଓ କରିଥିବା ଚିଠିରେ ବିଭିନ୍ନ ସାମଗ୍ରୀର ପରିମାଣ ଉଲ୍ଲେଖ ନକରି ପରବର୍ତ୍ତୀ ଅବସ୍ଥାରେ ଉଲ୍ଲେଖ କରିବା ଘଟଣା ଚର୍ଚ୍ଚା ହୋଇଥିଲା । ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଯାଜପୁରରେ ପହଞ୍ଚିଛନ୍ତି ।









