ଓଡ଼ିଶା

ନନ୍ଦନକାନନରେ ୯୦ ଦିନ କ୍ୱାରେଣ୍ଟାଇନରେ ରହିବେ ୫ ଓରାଙ୍ଗଉଟାନ୍

ଭୁବନେଶ୍ୱର: ନନ୍ଦନକାନନରେ ୯୦ ଦିନ କ୍ୱାରେଣ୍ଟାଇନରେ ରହିବେ ୫ ଶିଶୁ ଓରାଙ୍ଗଉଟାନ୍ । ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ସମୟ ଧରି କ୍ୱାରେଣ୍ଟାଇନରେ ରହିବେ । ଏହି ଶିଶୁ ଓରାଙ୍ଗଉଟାନଙ୍କୁ ୯୦ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ରଖି ସେମାନଙ୍କ ସ୍ୱାସ୍ଥ୍ୟ, ଆଚରଣ ଓ ଶାରୀରିକ ବିକାଶ ଉପରେ ନଜର ରଖାଯିବ । ଗତ ସେପ୍ଟେମ୍ବରରେ ବାଲେଶ୍ୱର ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ଏହି ୫ଟି ଶିଶୁ ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନେ କିପରି ଓଡ଼ିଶାର ଜଙ୍ଗଲରେ ପହଞ୍ଚିଲେ, ତାହାକୁ ନେଇ ବନ୍ୟଜନ୍ତୁ ଚୋରାଚାଲାଣର ସନ୍ଦେହ ସୃଷ୍ଟି ହୋଇଥିଲା । ଉଦ୍ଧାର ପରେ ସେମାନଙ୍କୁ ନନ୍ଦନକାନନକୁ ଅଣାଯାଇ ସ୍ୱତନ୍ତ୍ର ଯତ୍ନରେ ରଖାଯାଇଛି ।

ଏବେ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ବା CZAର ପରାମର୍ଶ ଅନୁସାରେ ସମସ୍ତ ୫ଟି ଓରାଙ୍ଗଉଟାନଙ୍କୁ ୯୦ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ବାୟୋ-ସିକ୍ୟୁରିଟି ବ୍ୟବସ୍ଥାର ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଛି । ଗୋଟିଏ ପ୍ରାଣୀଠାରୁ ଅନ୍ୟ ପ୍ରାଣୀକୁ କୌଣସି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କାକୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । କ୍ୱାରେଣ୍ଟାଇନ୍ ସମୟରେ ଶିଶୁ ଓରାଙ୍ଗଉଟାନଙ୍କ ନିକଟକୁ ସାଧାରଣ ଲୋକ କିମ୍ବା ଅନ୍ୟ କର୍ମଚାରୀଙ୍କ ପ୍ରବେଶ ରହିବ ନାହିଁ । କେବଳ ସେମାନଙ୍କ ଯତ୍ନ ନେଉଥିବା କେୟାରଗିଭର ଏବଂ ପ୍ରାଣୀ ଚିକିତ୍ସକଙ୍କୁ କ୍ୱାରେଣ୍ଟାଇନ୍ ଅଞ୍ଚଳକୁ ଯିବାକୁ ଅନୁମତି ଦେବା ପାଇଁ CZA ପରାମର୍ଶ ଦେଇଛି ।

ନନ୍ଦନକାନନର ଡେପୁଟି ଡାଇରେକ୍ଟର ପ୍ରଦୀପ ମିରାସେଙ୍କ ସୂଚନା ଅନୁସାରେ, ଓରାଙ୍ଗଉଟାନମାନଙ୍କୁ ବର୍ତ୍ତମାନ ଯେଉଁ ହ୍ୟାଣ୍ଡ ରିୟରିଂ ସେଣ୍ଟର ବା HRCରେ ରଖାଯାଇଛି, ସେହି ଅଞ୍ଚଳରେ ହିଁ କ୍ୱାରେଣ୍ଟାଇନ୍ କରାଯିବ । HRC ପାଖରେ ବଡ଼ ଓ ଖୋଲା ଆକାଶ ଥିବା ଓପନ୍ ଏନକ୍ଲୋଜର ମଧ୍ୟ ରହିଛି । ବୈଷୟିକ କମିଟିର ପରାମର୍ଶ ମିଳିବା ପରେ ଦିନ ସମୟରେ ଶିଶୁ ଓରାଙ୍ଗଉଟାନଙ୍କୁ ଏହି ଖୋଲା ଏନକ୍ଲୋଜରକୁ ନିଆଯିବ । ଏହାଦ୍ୱାରା ସେମାନେ ଧୀରେ ଧୀରେ ନନ୍ଦନକାନନର ପରିବେଶ ଓ ଖୋଲା ପରିସର ସହ ଅଭ୍ୟସ୍ତ ହୋଇପାରିବେ। ଏହି ୯୦ ଦିନ ମଧ୍ୟରେ ସେମାନଙ୍କ ଖାଦ୍ୟ ଗ୍ରହଣ, ସ୍ୱାସ୍ଥ୍ୟ, ଆଚରଣ ଏବଂ ବିକାଶ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ ପ୍ରାଣୀ ଚିକିତ୍ସକମାନେ ନିୟମିତ ନଜର ରଖିବେ। କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ଓ ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ ପରେ ସେମାନଙ୍କ ପରବର୍ତ୍ତୀ ରହଣି ଓ ପରିଚାଳନା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL