ନୂଆଦିଲ୍ଲୀ : ରୁଷିଆର ସାଇବେରିଆ ଅଞ୍ଚଳରେ ନ୍ୟୁମୋନିକ୍ ପ୍ଲେଗକୁ ନେଇ ଆତଙ୍କ । ଇର୍କୁଟସ୍କ ଅଞ୍ଚଳର ଏକ ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବତୀ କର୍ମଚାରୀଙ୍କ ମୃତ୍ୟୁ ପରେ ସତର୍କତା ବଢ଼ାଇଛନ୍ତି ରୁଷିଆ କର୍ତ୍ତୃପକ୍ଷ । ମୃତ ମହିଳା ପ୍ଲେଗ୍ ଜୀବାଣୁରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି କେତେକ ରିପୋର୍ଟରେ ଆଶଙ୍କା କରାଯାଇଛି । ମୃତ କର୍ମଚାରୀଙ୍କ ବୟସ ପ୍ରାୟ ୨୮ ବର୍ଷ । ଗୁରୁତର ନିମୋନିଆ ହେବା ପରେ ସେପ୍ଟେମ୍ବର ୨୯ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କୃତ୍ରିମ ଶ୍ୱାସକ୍ରିୟା ସହାୟତାରେ ରଖାଯାଇଥିଲା । ତେବେ ଅକ୍ଟୋବର ୨ରେ ତାଙ୍କର ମୃତ୍ୟୁ ଘଟିଥିଲା ।
ରିପୋର୍ଟ ଅନୁସାରେ, ପରୀକ୍ଷାଗାରରେ କାମ କରୁଥିବା ସମୟରେ ପ୍ଲେଗ୍ ସୃଷ୍ଟିକାରୀ ୟର୍ସିନିଆ ପେଷ୍ଟିସ୍ ଜୀବାଣୁ ସହ ସେ ସଂସ୍ପର୍ଶରେ ଆସିଥାଇପାରନ୍ତି । ଏହା ପରେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ପରୀକ୍ଷାଗାରରେ କୌଣସି ଦୁର୍ଘଟଣା ଯୋଗୁଁ ସେ ସଂକ୍ରମିତ ହୋଇଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଘଟଣା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦୦ ଜଣଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ନିରୀକ୍ଷଣରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖାଯାଉଛି ।
ତେବେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ପ୍ଲେଗ୍ ସଂକ୍ରମଣର କୌଣସି ବଡ଼ ଧରଣର ପ୍ରମାଣ ମିଳିନାହିଁ । ମହିଳା କର୍ମଚାରୀଙ୍କ ମୃତ୍ୟୁ ନ୍ୟୁମୋନିକ୍ ପ୍ଲେଗରେ ହୋଇଥିବା ନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ନିଶ୍ଚିତତା ମିଳିନାହିଁ । ରୁଷିଆର ସ୍ୱାସ୍ଥ୍ୟ ନିରୀକ୍ଷଣ କର୍ତ୍ତୃପକ୍ଷ ଏହାକୁ ଅଜଣା କାରଣରୁ ହୋଇଥିବା ଗୁରୁତର ନିମୋନିଆ ବୋଲି କହିଛନ୍ତି । ତେଣୁ ପ୍ଲେଗ୍ ସଂକ୍ରମଣ ନେଇ ଚାଲିଥିବା ଆଶଙ୍କାର ସତ୍ୟତା ଜାଣିବା ପାଇଁ ତଦନ୍ତ ଓ ପରୀକ୍ଷା ଜାରି ରହିଛି ।
ନ୍ୟୁମୋନିକ୍ ପ୍ଲେଗ୍ ହେଉଛି ପ୍ଲେଗ୍ ର ଏକ ଅତ୍ୟନ୍ତ ଗୁରୁତର ରୂପ । ୟର୍ସିନିଆ ପେଷ୍ଟିସ ନାମକ ଜୀବାଣୁ ଯୋଗୁଁ ଏହି ରୋଗ ହୋଇଥାଏ । ଏହା ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଶ୍ୱାସପ୍ରଶ୍ୱାସରୁ ବାହାରୁଥିବା ସୂକ୍ଷ୍ମ କଣିକା ମାଧ୍ୟମରେ ଏହା ଅନ୍ୟ ଜଣଙ୍କୁ ବ୍ୟାପିପାରେ । ତେବେ ଠିକ୍ ସମୟରେ ରୋଗ ଚିହ୍ନଟ ହୋଇ ଜୀବାଣୁନାଶକ ଔଷଧରେ ଚିକିତ୍ସା ଆରମ୍ଭ ହେଲେ ରୋଗୀଙ୍କୁ ସୁସ୍ଥ କରାଯାଇପାରେ ।





