ଓଡ଼ିଶା

ସମ୍ବଲପୁରରେ ୪ ଅଣ୍ଡରପାସ୍ ଓ ଫ୍ଲାଇଓଭର ଦାବି: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୫ ନମ୍ବର ଜାତୀୟ ରାଜପଥ (NH-55)ର ତୁରନ୍ତ ମରାମତି ଏବଂ ଖାଲସବୁର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବଂ ଆଖପାଖ ଅଞ୍ଚଳର ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ, ଯାତାୟାତକୁ ସୁଗମ କରିବା ତଥା ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି।

ସମ୍ବଲପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ, ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଧର୍ମେନ୍ଦ୍ର ସମ୍ବଲପୁର-କଟକ ଏନଏଚ-୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ୍ ସହ ସମ୍ବଲପୁରରେ ଫ୍ଲାଇଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଏବଂ ସହରାଞ୍ଚଳ ସହ ଯୋଡ଼ୁଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥ । ରାସ୍ତାର ଶୋଚନୀୟ ଅବସ୍ଥା ଏବଂ ବଡ଼ ବଡ଼ ଖାଲ ଯୋଗୁଁ ଯାତାୟାତରେ ଅସୁବିଧା ହେଉଛି।

ଏଠାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ୪-ଲେନ୍ ବିଶିଷ୍ଟ ରାଜପଥକୁ ୬-ଲେନ୍‌କୁ ସମ୍ପ୍ରସାରିତ କରିବା ସହ ଉଭୟ ପାର୍ଶ୍ୱରେ ଦୁଇ-ଲେନ୍‌ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହେବ ଏବଂ ଦୁର୍ଘଟଣା ହ୍ରାସ ପାଇବ । ଦ୍ୱିତୀୟତଃ ଏନଏଚ-୫୫ର ଅନୁଗୋଳ-ସମ୍ବଲପୁର ସେକ୍ସନ୍‌ରେ ଖଣିଜ ଓ ବାଣିଜ୍ୟିକ ଯାନବାହନ ଚଳାଚଳ ହେତୁ ସ୍ଥାନୀୟ ଲୋକ ଓ ପଦଚାରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ସଡ଼କ ସୁରକ୍ଷାକୁ ଆଖି ଆଗରେ ରଖି ପିଆଇୟୁ ସମ୍ବଲପୁର ଦ୍ୱାରା ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଏବଂ ଚାରମାଳ ଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ରାସ୍ତାଟିର ଶୀଘ୍ର ମରାମତି କାର୍ଯ୍ୟ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଗଡ଼କରୀଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL