ଭୁବନେଶ୍ୱର : ରାଜ୍ୟପାଳଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି ମୋହନ ମାଝୀ । ନୂଆ ରାଜ୍ୟପାଳଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ରାଜ୍ୟର ବିକାଶ ଓ ପ୍ରଗତିକୁ ନେଇ ନୂଆ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରୁ ସ୍ପଷ୍ଟ ହୋଇଛି । ଏଥିସହ ବ୍ରଜମୋହନ ରାମଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ମୋହନ ମାଝୀ ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ନୂଆ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ନବୀନ ।
ନିଜ ପୋଷ୍ଟରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ନୂଆ ରାଜ୍ୟପାଳଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟାଳୟ ପ୍ରକୃତ ଗଣତାନ୍ତ୍ରିକ ଭାବନାରେ ସାମ୍ବିଧାନିକ ମୂଲ୍ୟବୋଧକୁ ପୁନଃ ସୁଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତାରେ ସାମ୍ବିଧାନିକ ମର୍ଯ୍ୟାଦା, ଗଣତାନ୍ତ୍ରିକ ଆଦର୍ଶ ଓ ରାଜ୍ୟପାଳ ପଦର ଗୁରୁତ୍ୱକୁ ବିଶେଷ ସ୍ଥାନ ଦିଆଯାଇଛି ।









