ଓଡ଼ିଶା

ବର୍ଷତମାମ ୭୪ ଗାଁକୁ ମିଳିବ ପାଣି! ୬୨୫ କୋଟିର ୫ଟି ଜଳ ସଂରକ୍ଷଣ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ଆଉ ପାଣି ପାଇଁ ହନ୍ତସନ୍ତ ହେବେ ନାହିଁ ଓଡ଼ିଶାର ୭୪ଟି ଗାଁର ଲୋକେ। ଗାଁ ଗାଁରେ ପାନୀୟ ଜଳର ଉପଲବ୍ଧତା ବଢ଼ାଇବା ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ରାଜ୍ୟ ସରକାର ୬୨୫ କୋଟି ୪୭ ଲକ୍ଷ ଟଙ୍କାର ୫ଟି ଜଳ ସଂରକ୍ଷଣ ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ଦେଇଛନ୍ତି। ଗୋଟିଏ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ୫ଟି ଜିଲ୍ଲାର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।

ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ। ରାୟଗଡ଼ାର ବଂଶଧାରା ନଦୀରେ ଧୁଆଁପଦର ଏବଂ ନାଗାବଳୀ ନଦୀରେ ରେଭତୀଗୁଡ଼ା ଜଳ ସଂରକ୍ଷଣ ପ୍ରକଳ୍ପ ହେବ। ଗଞ୍ଜାମର ବାହୁଦା ନଦୀରେ ଭୀମପୁର ପ୍ରକଳ୍ପ ନିର୍ମାଣ ହେବ। ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍‌ର ନିଝରିଡାରା ଗାଁ ନିକଟରେ ମୁରଲୀଯୋର ପ୍ରକଳ୍ପ ଏବଂ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଲୋକଙ୍କ ପାଇଁ ମହାନଦୀର ଉପନଦୀ ଅଙ୍ଗ ନଦୀରେ କୁଟାସିଂହା ବ୍ୟାରେଜ୍‌ ନିର୍ମାଣ କରାଯିବ।

ଏହି ଜଳ ସଂରକ୍ଷଣ ପ୍ରକଳ୍ପଗୁଡ଼ିକର ବିଶେଷତ୍ୱ ହେଉଛି, ବଡ଼ ବନ୍ଧ ଭଳି ଅଧିକ ଜମି ଅଧିଗ୍ରହଣ ନକରି ନଦୀ ଶଯ୍ୟାରେ ହିଁ ବର୍ଷା ଜଳକୁ ସଂରକ୍ଷିତ ରଖାଯିବ। ଫଳରେ ମୌସୁମୀ ସମୟରେ ନଦୀରେ ପ୍ରବାହିତ ଅତିରିକ୍ତ ଜଳକୁ ଗଚ୍ଛିତ ରଖି ଖରାଦିନେ ବ୍ୟବହାର କରାଯାଇପାରିବ। ଏହା ସହ ଆଖପାଖ ଅଞ୍ଚଳର କୂଅ ଓ ନଳକୂପର ଜଳସ୍ତର ବଢ଼ିବାରେ ସହାୟକ ହେବ।

କେବଳ ପାନୀୟ ଜଳ ନୁହେଁ, ଏହି ପ୍ରକଳ୍ପ ଦ୍ୱାରା ଛୋଟ ଚାଷ ଜମିକୁ ଜଳସେଚନ, ପଶୁପାଳନ ଓ ଗ୍ରାମୀଣ ଜୀବିକାକୁ ମଧ୍ୟ ସହାୟତା ମିଳିବ। ବିଶେଷକରି ଧୁଆଁପଦର, ମୁରଲୀଯୋର ଓ ରେଭତୀଗୁଡ଼ା ପ୍ରକଳ୍ପ ଅଞ୍ଚଳରେ ମାଛ ଚାଷ ଓ ଜଳକୃଷିର ନୂଆ ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ଦିଗରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ଜଳବାୟୁ ପରିବର୍ତ୍ତନ ଓ ଅନିୟମିତ ମୌସୁମୀର ମୁକାବିଲା କରିବା ସହ ଗ୍ରାମାଞ୍ଚଳରେ ଜଳ ସୁରକ୍ଷାକୁ ମଜବୁତ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL