ଓଡ଼ିଶା

କୃଷି ଯୋଜନାରେ ଜାଲ୍ ବିଲ୍ କରି ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: କୃଷି ଯୋଜନାରେ ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ୨ କୃଷି ଅଧିକାରୀ ଓ ଏନ୍ ଜିଓ ନିର୍ଦ୍ଦେଶକ ଗିରଫ । ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ବଡ଼ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ । କାମ ନକରି ଜାଲ୍ ବିଲ୍ ଜରିଆରେ ୨୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଦୁଇଜଣ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି ଏବଂ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ‘ଶକ୍ତି ଶିଖା’ ଡେଭଲପମେଣ୍ଟ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା । CRFM ଯୋଜନାରେ କେମିତି ହେଲା ଅନିୟମିତତା? ବାଲେଶ୍ୱର ଜିଲ୍ଲାରେ କମ୍ପ୍ରିହେନ୍ସିଭ୍ ରାଇସ୍ ଫାଲୋ ମ୍ୟାନେଜମେଣ୍ଟ ବା CRFM ଯୋଜନା ଅଧୀନରେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା । ଏହି ଯୋଜନା ଅଧୀନରେ ବାଲେଶ୍ୱର ଜିଲ୍ଲାରେ ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩ ହଜାର ୫୦୦ ହେକ୍ଟର ଜମିରେ ବିରି ଚାଷ ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବାରିପଦାର ‘ଶକ୍ତି ଶିଖା’ ଡେଭଲପମେଣ୍ଟ ସୋସାଇଟିକୁ ପେସାଦାର ସଂସ୍ଥା ଭାବେ ଚୟନ କରାଯାଇଥିଲା । ଏଥିପାଇଁ ସଂସ୍ଥା ସହ ବିଧିବଦ୍ଧ ଚୁକ୍ତି ମଧ୍ୟ ହୋଇଥିଲା । ଯୋଜନାର ନିୟମ ଅନୁଯାୟୀ, ସମ୍ପୃକ୍ତ ଏନ୍ ଜିଓକୁ ହିତାଧିକାରୀ ଓ କ୍ଲଷ୍ଟର ଚୟନରେ କୃଷି ଅଧିକାରୀଙ୍କୁ ସହାୟତା କରିବା, ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ କୃଷି ସାମଗ୍ରୀର ବ୍ୟବହାର ତଦାରଖ କରିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଭିଜିଲାନ୍ସର ତଦନ୍ତ ଓ କ୍ଷେତ୍ରସ୍ତରୀୟ ଯାଞ୍ଚରେ ଏନ୍ ଜିଓ ପକ୍ଷରୁ ଏଭଳି କୌଣସି କାର୍ଯ୍ୟ କରାଯାଇନଥିବା ଜଣାପଡ଼ିଥିବା ଭିଜିଲାନ୍ସ କହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ଟି ବ୍ଲକର ବ୍ଲକ କୃଷି ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ ଏନ୍ ଜିଓ କୌଣସି କାମ କରିନଥିବା ନେଇ ତଦନ୍ତ ବେଳେ ବୟାନ ଦେଇଛନ୍ତି । ଭିଜିଲାନ୍ସର ଅଭିଯୋଗ ଅନୁସାରେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ତତ୍କାଳୀନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି ଏବଂ ଏନ୍ ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ପରସ୍ପର ମଧ୍ୟରେ ଷଡ଼ଯନ୍ତ୍ର କରି ସରକାରୀ ଅର୍ଥ ଆତ୍ମସାତ୍ କରିଥିଲେ । ଏନ୍ ଜିଓ ପକ୍ଷରୁ କାମ ହୋଇଥିବା ଦର୍ଶାଇ ଜାଲ୍ ବିଲ୍ ପ୍ରସ୍ତୁତ କରାଯାଇଥିଲା। ଯୋଜନାର ନିୟମ ଅନୁସାରେ ଆବଶ୍ୟକ କ୍ଷେତ୍ରସ୍ତରୀୟ ପ୍ରମାଣପତ୍ର ନଥିବା ସତ୍ତ୍ୱେ ଦୁଇ ସରକାରୀ ଅଧିକାରୀ ସେହି ବିଲ୍ ଗୁଡ଼ିକୁ ପ୍ରକ୍ରିୟାକରଣ କରିଥିବା ଅଭିଯୋଗ ହୋଇଛି ।

ଏହିପରି ଭାବେ ମୋଟ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ଭିଜିଲାନ୍ସ ତଦନ୍ତରେ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ସରକାରୀ ଅଧିକାରୀମାନେ ନିଜ ପଦବୀର ଅପବ୍ୟବହାର କରି ଘରୋଇ ସଂସ୍ଥା ସହ ମିଳିତ ଭାବେ ଏହି ଅନିୟମିତତା କରିଥିବାରୁ ରାଜ୍ୟ ରାଜକୋଷକୁ ସମପରିମାଣର କ୍ଷତି ହୋଇଥିବା ଭିଜିଲାନ୍ସ ଦର୍ଶାଇଛି । ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ କରାଯାଇଛି। ତିନି ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତକୁ ଚାଲାଣ କରିବା ପ୍ରକ୍ରିୟା ଚାଲିଥିବା ଭିଜିଲାନ୍ସ ସୂଚନା ଦେଇଛି ।  ଏହି ଆର୍ଥିକ ଅନିୟମିତତାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL