ଭୁବନେଶ୍ୱର : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ!। ଭୁବନେଶ୍ୱରରେ EOWର ବଡ଼ ଆକ୍ସନ୍। ଜାଲରେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର । ଫ୍ଲାଟ୍ ଦେବାର ସ୍ୱପ୍ନ ଦେଖାଇ ଚାଲିଥିଲା କୋଟି କୋଟି ଟଙ୍କାର କାରବାର! । ନିବେଶକଙ୍କଠାରୁ ଟଙ୍କା ନେଇ ନା ଦେଲେ ଫ୍ଲାଟ୍, ନା ଫେରାଇଲେ ଟଙ୍କା। ୧୫ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଏବେ EOW ଜାଲରେ Mishra Creations Pvt. Ltd.ର ପୂର୍ବତନ ଡାଇରେକ୍ଟର ପ୍ରମୋଦ କୁମାର ସାହୁ।
ପ୍ରମୋଦଙ୍କୁ ଗିରଫ କରିଛି EOW । UTOPIA ହାଉସିଂ ପ୍ରୋଜେକ୍ଟ ନାଁରେ ନିବେଶକଙ୍କୁ ଫ୍ଲାଟ୍ ଦେବାର ପ୍ରତିଶ୍ରୁତି ଦେଇ ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ ରହିଛି। ରସୁଲଗଡ଼ର ସ୍ୱଦେଶ ରାୟ ଚୌଧୁରୀଙ୍କ ଅଭିଯୋଗରୁ ଏହି ଠକେଇର ପର୍ଦ୍ଦାଫାସ ହୋଇଥିଲା। ୨୦୧୬ ମସିହାରେ ଚନ୍ଦକାର ଅନଳପାଟଣାରେ ଥିବା UTOPIA ପ୍ରୋଜେକ୍ଟରେ ଏକ ଫ୍ଲାଟ୍ ବୁକ୍ କରିଥିଲେ ସ୍ୱଦେଶ।
ଫ୍ଲାଟ୍ ପାଇବା ଆଶାରେ କମ୍ପାନୀକୁ ୧୬ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିଲେ। ଏଥିପାଇଁ ବ୍ୟାଙ୍କରୁ ଋଣ ମଧ୍ୟ ନେଇଥିଲେ। ଚୁକ୍ତି ଅନୁସାରେ ୩୦ ମାସ ମଧ୍ୟରେ ଫ୍ଲାଟ୍ ହସ୍ତାନ୍ତର ହେବାର ଥିଲା। କିନ୍ତୁ ସମୟ ଗଡ଼ିଚାଲିଲା, ଫ୍ଲାଟ୍ ମିଳିଲାନି। ଏପଟେ ନିବେଶ କରିଥିବା ଟଙ୍କା ମଧ୍ୟ ଫେରିଲାନି। ଏଭଳି ଭାବେ କେବଳ ଜଣେ ନୁହେଁ, ଅନେକ ନିବେଶକ ଠକେଇର ଶିକାର ହୋଇଥିବା ଅଭିଯୋଗ ରହିଛି।
EOW ତଦନ୍ତରେ ପ୍ରମୋଦ କୁମାର ସାହୁଙ୍କ ଭୂମିକାକୁ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ। UTOPIAପ୍ରୋଜେକ୍ଟର ପ୍ରଚାରଠାରୁ ଆରମ୍ଭ କରି ଗ୍ରାହକଙ୍କୁ ପ୍ରୋଜେକ୍ଟ ଦେଖାଇବା, ଫ୍ଲାଟ୍ ବୁକିଂ କରାଇବା ଓ ହାଉସିଂ ଲୋନ୍ ପ୍ରକ୍ରିୟାରେ ସେ ସକ୍ରିୟ ଥିବା ତଦନ୍ତରୁ ଜଣାପଡ଼ିଛି। ତଦନ୍ତରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
କମ୍ପାନୀ ଆକାଉଣ୍ଟରୁ ୧୬ ଲକ୍ଷ ୫୧ ହଜାର ୪୦୦ ଟଙ୍କା ପ୍ରମୋଦ କୁମାର ସାହୁଙ୍କ ବ୍ୟକ୍ତିଗତ SBI ଆକାଉଣ୍ଟକୁ ଯାଇଥିବା EOW ତଦନ୍ତରୁ ଜଣାପଡ଼ିଛି। ଏହି ଟଙ୍କା କାରବାର ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଠକେଇ ମାମଲାରେ ତାଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ କରାଯାଇଛି। ଗିରଫ ପରେ ପ୍ରମୋଦଙ୍କ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଆପତ୍ତିଜନକ ଦସ୍ତାବିଜ ଜବତ କରିଛି EOW।
ଏହି ମାମଲାରେ ପୂର୍ବରୁ Mishra Creationsର MD ଜ୍ୟୋତି ରଞ୍ଜନ ମିଶ୍ର ଓ Additional Director ସନ୍ତୋଷ କୁମାର ରଥଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଫ୍ଲାଟ୍ ଦେବାର ପ୍ରତିଶ୍ରୁତି ପଛରେ କେମିତି ଚାଲିଥିଲା କୋଟି କୋଟି ଟଙ୍କାର ଖେଳ? କେତେ ନିବେଶକ ଏହି ଠକେଇର ଶିକାର ହୋଇଛନ୍ତି? ଏହି ଠକେଇ ଚକ୍ରରେ ଆଉ କିଏ କିଏ ସାମିଲ ଅଛନ୍ତି? ତାହାର ଖୋଳତାଡ଼ ଜାରି ରଖିଛି EOW।






