ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଧାମଣଗାଓଁ ରେଲୱେ ନିକଟରେ ଚ୍ୟାନେଲ ନମ୍ବର ୯୭ରେ ଏକ ଟ୍ରକ୍ ଏବଂ ଟେମ୍ପୋ ପିକଅପ୍ ମଧ୍ୟରେ ଭୟଙ୍କର ଭାବେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ, ଟେମ୍ପୋ ପିକଅପ୍ଟି ଶ୍ରଦ୍ଧାଳୁମାନଙ୍କୁ ନେଇ ଶେଗାଓଁରୁ ଦୁର୍ଗାଦେବୀଙ୍କ ଦର୍ଶନ କରି ୱର୍ଧା ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ସମୃଦ୍ଧି ମହାମାର୍ଗରେ ଟ୍ରକ୍ ଏବଂ ଟେମ୍ପୋ ପିକଅପ୍ ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଟେମ୍ପୋ ପିକଅପ୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଦୁର୍ଘଟଣାରେ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ୧୯ ଜଣ ଆହତ ହୋଇଛନ୍ତି । ଅନେକ ଲୋକ ଗାଡ଼ି ଭିତରେ ଫସି ରହିଥିଲେ । ଦୁର୍ଘଟଣା ପରେ ଆଖପାଖରେ ଥିବା ଲୋକମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଧାମଣଗାଓଁ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଆହତମାନଙ୍କୁ ଗାଡ଼ିରୁ ବାହାର କରାଯାଇଥିଲା । ପରେ ସମସ୍ତଙ୍କୁ ଧାମଣଗାଓଁ ଗ୍ରାମୀଣ ହସ୍ପିଟାଲକୁ ନିଆଯାଇଥିଲା ।
ଅନ୍ୟପଟେ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ପୁଲିସ ମୃତକ ଏବଂ ଆହତମାନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମଧ୍ୟ ସଂଗ୍ରହ କରୁଛି । ବର୍ତ୍ତମାନ ପୁଲିସ ସମଗ୍ର ଘଟଣାର ତଦନ୍ତରେ ଲାଗିଛି ।





