ଓଡ଼ିଶା

ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିଲା ଅମୃତ ମଣୋହି ଜମି: ରାଜସ୍ୱ ପର୍ଷଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଓ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ବୋର୍ଡ ଅଫ୍ ରେଭେନ୍ୟୁ, କଟକଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ଓ.ଏସ୍.ଏସ୍. କେସ୍ ନଂ. ୬୫୮/୨୦୨୨ରେ ରାଜସ୍ବ ପର୍ଷଦ, କଟକ ଏକ ମାମଲାର ଶୁଣାଣି କରି ମହାପ୍ରଭୁଙ୍କ ନାମରେ ପୁରୀର ତାଳବଣିଆ/କୁଣ୍ଢେଇବେଣ୍ଟ ସାହି ମୌଜାରେ ଥିବା ଏକ ମୂଲ୍ଯବାନ ଜମି ସମ୍ବନ୍ଧୀୟ ରିଭିଜନ ପିଟିସନକୁ ଖାରଜ କରିଛନ୍ତି।

ରାୟରେ ଉକ୍ତ ସମ୍ପତ୍ତି ମୂଳତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତି ଭାବେ ରେକର୍ଡଭୁକ୍ତ ଥିବା ଉଲ୍ଲେଖ କରାଯାଇଛି। ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ନିର୍ଭର କରାଯାଇଥିବା ପରବର୍ତ୍ତୀ କାରବାରଗୁଡ଼ିକ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ ଧାରା ୧୬(୨) ଅନୁଯାୟୀ ଆବଶ୍ୟକୀୟ ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ ନେଇଥିବାର ପ୍ରମାଣ ନାହିଁ ବୋଲି ରାଜସ୍ବ ବୋର୍ଡ ରାୟରେ ଉଲ୍ଲେଖ କରିଛନ୍ତି। ଏହାସହ ବୋର୍ଡ ପକ୍ଷରୁ ବିବାଦୀୟ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଆଦେଶ ଏବଂ ଆବେଦନକାରୀଙ୍କ ନାମରେ ନଟ୍-ଫାଇନାଲ୍ ରେକର୍ଡ ଅଫ୍ ରାଇଟ୍ସକୁ ବାତିଲ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଉକ୍ତ ଭୂ-ସମ୍ପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିରେ ସାମିଲ ହେବ। ରାଜସ୍ବ ବୋର୍ଡ ଉକ୍ତ ଜମିକୁ ଅମୃତମଣୋହି ସମ୍ପତ୍ତି ଭାବେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡଭୂକ୍ତ କରିବା ପାଇଁ ବନ୍ଦୋବସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମ୍ପୃକ୍ତ ସାବିକ ଖାତାର ଅବଶିଷ୍ଟ ସମ୍ପତ୍ତିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଅନ୍ତର୍ଭୁକ୍ତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ବୋର୍ଡ ଅଫ୍ ରେଭେନ୍ୟୁଙ୍କ ଏହି ରାୟକୁ ସ୍ୱାଗତ କରିବା ସହ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ତତ୍ପର ରହିଆସିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଏବଂ ରେକର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ପୁରୀ ତହସିଲଦାରଙ୍କ ଦ୍ୱାରା ରେକର୍ଡ ସଂଶୋଧନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ମହାପ୍ରଭୁଙ୍କ ସମ୍ପତ୍ତିର ବେଆଇନ ହସ୍ତାନ୍ତର, ଦଖଲ, ଜମି ମାଫିଆଙ୍କ ଦ୍ଵାରା ବେଆଇନ ହଡ଼ପ କିମ୍ବା ଅନ୍ୟ କୌଣସି ଅନିୟମିତତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL