ନୂଆଦିଲ୍ଲୀ : ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁବପିଢିଙ୍କୁ ଦେଶର ବିକାଶ ପାଇଁ ଶକ୍ତି ଏବଂ ସାହସ ସହିତ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଛନ୍ତି । ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ ବଡ଼ ଶକ୍ତି ବୋଲି କହିଛନ୍ତି ମୋଦି । ସରକାରର ମୁଖ୍ୟ ଭାବେ ଲଗାତାର ୨୫ ବର୍ଷର ଯାତ୍ରା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ୨୫ ବର୍ଷର ରାଜନୈତିକ ଓ ପ୍ରଶାସନିକ ଯାତ୍ରାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି, ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦିନେ ଏଭଳି ଏକ ମାଇଲଖୁଣ୍ଟରେ ପହଞ୍ଚିବେ ବୋଲି ସେ କେବେ ଭାବିନଥିଲେ । ଆଜି ସରକାରର ମୁଖ୍ୟ ଭାବେ ଲଗାତାର ୨୫ ବର୍ଷର ସେବା ପୂରଣ ହୋଇଛି ଏବଂ ଏହା ପଛରେ ଦେଶବାସୀଙ୍କ ନିରନ୍ତର ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି । ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମୋଦିଙ୍କ ସରକାରୀ ନେତୃତ୍ୱର ଯାତ୍ରା ଆରମ୍ଭ ହୋଇଥିଲା । ସେ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୪ରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୯ ଓ ୨୦୨୪ରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ ।
ନିଜ ଅଭିଭାଷଣରେ ମୋଦି କହିଛନ୍ତି, ସେ ଆଜି ଯେଉଁଠି ଅଛନ୍ତି ଓ ଯେଉଁ ଦାୟିତ୍ୱରେ ଅଛନ୍ତି, ତାହା ପଛରେ ସବୁଠୁ ବଡ଼ ଅବଦାନ ଦେଶର ଜନତାଙ୍କର । କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ଅସଂଖ୍ୟ ଦଳୀୟ କର୍ମୀଙ୍କ ପରିଶ୍ରମ ତାଙ୍କର ସବୁଠୁ ବଡ଼ ଶକ୍ତି ରହିଆସିଛି । ଏହି ୨୫ ବର୍ଷ ମଧ୍ୟରେ ଅନେକ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବାର ଲକ୍ଷ୍ୟ ରହିଛି, ଅଲିମ୍ପିକ୍ସର ଆୟୋଜନ କରିବାର ଅଛି ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିବାର ଅଛି । ଆଗକୁ ଆହୁରି ଦେଶ ପାଇଁ ବହୁତ କିଛି କରିବାର ଅଛି।
ଜନତା ତାଙ୍କୁ ବାରମ୍ବାର ସେବା କରିବାର ସୁଯୋଗ ଦେଇଥିବା କହି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହା ସହ ଭାରତର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ମଧ୍ୟ ସେ ସମ୍ମାନ ଜଣାଇଛନ୍ତି । BJP, NDA ଏବଂ ଗଣତନ୍ତ୍ର ପ୍ରତି ବିଶ୍ୱାସ ରଖୁଥିବା ସମସ୍ତ ରାଜନୈତିକ ସହଯୋଗୀଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ଦେଶର ଲୋକଙ୍କ ନିକଟରେ ସେ ମୁଣ୍ଡ ନୁଆଁଇ କୃତଜ୍ଞତା ଜଣାଉଛନ୍ତି ।





