ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନକୁ ନେଇ ବିବାଦ ବଢ଼ୁଛି । ଅନୁପ୍ରବେଶ ମାମଲାରେ CJPର ୨ ଜଣ କର୍ମୀ ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ତେବେ ଅଜିଙ୍କ୍ୟ ସିନ୍ଦେଙ୍କୁ ଜାମିନ ମିଳିଛି ।
ସୂଚନାନୁଯାୟୀ, ଗତକାଲି ସକାଳେ ଦିଲ୍ଲୀର ଜନ୍ତରମନ୍ତର ଅଞ୍ଚଳରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଏହି ତିନି ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ପ୍ରଥମେ ପୋଲିସ ସେମାନଙ୍କୁ ପ୍ରତିଷେଧମୂଳକ ଅଟକରେ ରଖିଥିବା ସୂଚନା ଦେଇଥିଲା । ସେପଟେ CJP ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଥିବା ଦାବି କରାଯାଇଥିଲା । ଏବେ ୨ କର୍ମୀଙ୍କୁ ୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି । ତେବେ କେଉଁ ଆଇନଗତ ଧାରାରେ ଏହି ଆଦେଶ ଦିଆଯାଇଛି ଓ ପରବର୍ତ୍ତୀ ଶୁଣାଣି କେବେ ହେବ, ସେନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଉଛି । ଘଟଣା ପଛରେ ରହିଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ଚାଲିଥିବା ବିବାଦ । CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJP ଆନ୍ଦୋଳନ ଚଳାଇଛି ।
ଏହାରି ମଧ୍ୟରେ ଜନ୍ତରମନ୍ତରକୁ ଅନୁମୋଦିତ ବିକ୍ଷୋଭସ୍ଥଳୀ ତାଲିକାରୁ ବାଦ୍ ଦିଆଯିବା ପରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ବିବାଦ ତୀବ୍ର ହୋଇଛି । CJPର ଅଭିଯୋଗ ଅନୁସାରେ, ଅଟକ କର୍ମୀମାନଙ୍କୁ ଦୀର୍ଘ ସମୟ ଧରି ଓକିଲଙ୍କ ସହ ସାକ୍ଷାତ କରିବାକୁ ଦିଆଯାଇନଥିଲା । ଅନ୍ୟପଟେ ବିନା ଅନୁମତିରେ ପ୍ରବେଶ, ପୂର୍ବ ସର୍ତ୍ତ ଉଲ୍ଲଂଘନ ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ଭଳି ଅଭିଯୋଗ ଏହି ମାମଲାରେ ରହିଛି ।




