ଜାତୀୟ

ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା: ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ମେରଟ : ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ । ସ୍ୱାମୀଙ୍କୁ ହତ୍ୟା କରି ସିମେଣ୍ଟ ଡ୍ରମରେ ଭର୍ତ୍ତି କରିଥିବା ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୧୨୬ ଟି ଶୁଣାଣି ଓ ୨୨ ସାକ୍ଷୀଙ୍କ ବୟାନ ପରେ ମେରଟ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି ।

ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ଉତ୍ତରପ୍ରଦେଶର ମେରଟ ସହରର ବହୁଚର୍ଚ୍ଚିତ ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଅଦାଲତ ଆଜି ଐତିହାସିକ ରାୟ ଶୁଣାଇଛନ୍ତି । ନିଜ ସ୍ୱାମୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୃତଦେହ ଖଣ୍ଡ ବିଖଣ୍ଡିତ କରିଥିବା ଅଭିଯୁକ୍ତ ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲାଙ୍କୁ ମେରଟ ଜିଲ୍ଲା କୋର୍ଟ ମୃତ୍ୟୁଦଣ୍ଡ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ବୁଧବାର ଦଣ୍ଡବିଧାନ ଘୋଷଣା କରାଯାଇଛି ।

ଘଟଣାଟି ମାର୍ଚ୍ଚ ୨୦୨୫ରେ ସାମ୍ନାକୁ ଆସିଥିଲା । ମୃତକ ସୌରଭ ରାଜପୁତ ପୂର୍ବରୁ ମର୍ଚାଣ୍ଟ ନେଭିରେ କାର୍ଯ୍ୟରତ ଥିଲେ ଏବଂ ବିଦେଶରୁ ନିଜ ଘରକୁ ଫେରିଥିଲେ । ସୌରଭ ଏବଂ ମୁସ୍କାନ ୨୦୧୬ରେ ପ୍ରେମ ବିବାହ କରିଥିଲେ ଏବଂ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ସୌରଭ ବିଦେଶରେ ରହୁଥିବା ସମୟରେ ମୁସ୍କାନ ତାଙ୍କ ସ୍କୁଲ ବେଳର ବନ୍ଧୁ ତଥା ପଡ଼ୋଶୀ ସାହିଲ ଶୁକ୍ଲା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୌରଭ ଘରକୁ ଫେରିବା ପରେ ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ, ଯାହାକୁ ନେଇ ପାରିବାରିକ କଳହ ତୀବ୍ର ହୋଇଥିଲା । ନିଜ ରାସ୍ତାରୁ ସୌରଭଙ୍କୁ ହଟାଇବା ପାଇଁ ମୁସ୍କାନ ଏବଂ ସାହିଲ ମିଶି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ।

ମାର୍ଚ୍ଚ ୩ ତାରିଖ ରାତିରେ ସୌରଭଙ୍କୁ ପ୍ରଥମେ ନିଶା ଔଷଧ ଦିଆଯାଇ ଅଚେତ କରାଯାଇଥିଲା । ଏହା ପରେ ମୁସ୍କାନ ଏବଂ ସାହିଲ ତାଙ୍କ ଉପରକୁ ଏକାଧିକ ଥର ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଏକ ବଡ଼ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ ଭିତରେ ଭର୍ତ୍ତି କରିଥିଲେ । ଦୁର୍ଗନ୍ଧ ଯେପରି ବାହାରକୁ ନ ବାହାରିବ, ସେଥିପାଇଁ ଡ୍ରମ ଭିତରେ ତରଳ ସିମେଣ୍ଟ ଓ ବାଲି ଢାଳି ତାହାକୁ ସମ୍ପୂର୍ଣ୍ଣ ସିଲ୍ କରି ଘରେ ରଖିଦେଇଥିଲେ ।

ଅପରାଧ ଘଟାଇବା ପରେ ମୁସ୍କାନ ନିଜ ଝିଅକୁ ଜେଜେମା’ଙ୍କ ଘରେ ଛାଡ଼ି ପ୍ରେମିକ ସାହିଲଙ୍କ ସହ ଶିମଲା ବୁଲିବାକୁ ପଳାଇଥିଲେ। ସୌରଭ ଜୀବିତ ଥିବା ଦେଖାଇବା ପାଇଁ ଅଭିଯୁକ୍ତମାନେ ତାଙ୍କ ମୋବାଇଲରୁ ପରିବାର ଲୋକଙ୍କୁ ମେସେଜ୍ ପଠାଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ମାର୍ଚ୍ଚ ୧୭ ତାରିଖରେ ସନ୍ଦେହ ଆଧାରରେ ପୋଲିସ ଯାଞ୍ଚ କରି ଘରୁ ଉକ୍ତ ନୀଳ ଡ୍ରମ୍ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା । ଅଦାଲତରେ ଏହି ମାମଲାର ବିଚାର ପ୍ରାୟ ୧୬ ମାସ ଧରି ଚାଲିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL