ଜାତୀୟ

ସ୍ବିଜରଲାଣ୍ଡ ସ୍କି ରିସର୍ଟ ଅଗ୍ନିକାଣ୍ଡରେ ୪୭ ମୃତ: ୫ଦିନ ରାଷ୍ଟ୍ରୀୟ ଶୋକ ପାଳନ

ଜେନିଭା: ନୂଆବର୍ଷ ପାଳନ ସମୟରେ ସ୍ବିଜରଲାଣ୍ଡର କ୍ରାନ୍ସ ମଣ୍ଟାନା ସହରରେ ଏକ ସ୍କି ରିସର୍ଟ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୪୭ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ଏକ ଦୁର୍ଘଟଣା ଏବଂ ଏହାପଛରେ ଆତଙ୍କବାଦୀ ସଂଗଠନର କୌଣସି ହାତ ନାହିଁ ବୋଲି ସ୍ବିଜରଲାଣ୍ଡ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣା ପାଇଁ ସ୍ବିଜରଲାଣ୍ଡରେ ୫ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ କୁହାଯାଇଛି ।

ବୁଧବାର ରାତି ୧.୩୦ ମିନିଟ ସମୟରେ କନଷ୍ଟେଲେସନ ବାର୍ରେ ନୂଆବର୍ଷ ପାଇଁ ନାଚଗୀତ ଚାଲିଥିବାବେଳେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ଉକ୍ତ ବାର୍ରେ ପ୍ରାୟ ଦୁଇ ଶହ ବ୍ୟକ୍ତି ଉପସ୍ଥିତ ଥିଲେ। ମୃତାହତଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ସାମିଲ ଥିବା କୁହାଯାଇଛି। ମୃତକଙ୍କ ମଧ୍ୟରେ କେତେକ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ବାର୍ରେ ଗ୍ରାହକଙ୍କୁ ଦାମୀ ମଦ ପରିବେଷଣ କରାଯାଉଥିଲା। ସାମ୍ପେନ ଭର୍ତ୍ତି ବୋତଲରେ ଅଗ୍ନି ସଂଯୋଗ କରି କଳାକୌଶଳ ପ୍ରଦର୍ଶନ କରାଯାଉଥିବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ମଦ ଏକ ଅତ୍ୟନ୍ତ ଦହନଶୀଳ ଦ୍ରବ୍ୟ ହୋଇଥିବାରୁ ନିମିଷକ ମଧ୍ୟରେ ନିଆଁ ସମଗ୍ର ବାର୍କୁ ଗ୍ରାସିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୁଲିସ ଉକ୍ତ ଅଞ୍ଚଳକୁ ସିଲ୍ କରିଥିବାବେଳେ କ୍ରାନ୍ସ-ମଣ୍ଟାନା ସହରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି। ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ସ୍ବିଜରଲାଣ୍ଡ ପୁଲିସ କହିଛି। ଆଲପ୍ସ ପର୍ବତମାଳାର ପାଦଦେଶରେ ଅବସ୍ଥିତ କ୍ରାନସ-ମଣ୍ଟାନା ଏକ ବିଳାସପୂର୍ଣ୍ଣ ସ୍କି ରିସର୍ଟ ସହର। ପ୍ରତିବର୍ଷ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ପର୍ଯ୍ୟଟକ ଏଠାକୁ ଆସୁଥିବାବେଳେ ବରଫ ଉପରେ ସ୍କିଂର ମଜା ଉଠାଇଥାନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL