ଓଡ଼ିଶା

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ୨୫ରେ ଗଭୀର ଅବପାତ, ୨୬ରେ ବାତ୍ୟା !

ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ |  ୧୫୦ କିମି ବେଗରେ ବହିପାରେ ପବନ! ଓଡିଶାକୁ ଘାରିଲାଣି ବାତ୍ୟା ଭୟ | ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବାତ୍ୟା ଆଶଙ୍କା ବଢ଼ିଛି। ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୭ ରାତି କିମ୍ବା ୨୮ ତାରିଖ ସକାଳେ ଆନ୍ଧ୍ର ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ହୋଇପାରେ ବୋଲି କିଛି ମଡେଲ୍ ଆକଳନ କରିଛନ୍ତି।

ତେବେ IMDର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ, ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ୨୪ ଅକ୍ଟୋବର ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ ‘ଅବପାତ’ ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବଂ ୨୫ ଅକ୍ଟୋବରରେ ଏକ ‘ଗଭୀର ଅବପାତ’ ରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ଅକ୍ଟୋବର ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ‘ବାତ୍ୟା’ ରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୨ ଦିନ ମଧ୍ୟରେ ଆହୁରି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ।

ଏଥିସହିତ ECMWF, GFS ଓ CMC ଭଳି ପ୍ରମୁଖ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‌ର ଆକଳନରେ କାକିନାଡା, ଶ୍ରୀକାକୁଲମ-ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ କିମ୍ବା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଦେଖାଯାଇଛି। ଏହି ସମୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ହେବା ସହ ଝଟକା ପବନ ୯୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇପାରେ। କିଛି ମଡେଲ୍‌ରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦-୧୪୫ କିଲୋମିଟର ପର୍ଯ୍ୟନ୍ତ ହେବାର ଆକଳନ ରହିଛି।

ତେବେ ସମ୍ଭାବ୍ୟ ବାତ୍ୟା ସିଧାସଳଖ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଫଳରେ ଅକ୍ଟୋବର ୨୬ରୁ ଓଡ଼ିଶାରେ ବର୍ଷା ବଢ଼ିପାରେ। ୨୭ ଓ ୨୮ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୧୦୦ କିଲୋମିଟର ହୋଇପାରେ ବୋଲି ପ୍ରାରମ୍ଭିକ ଆକଳନ ରହିଛି। ଯେଉଁଥିରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ ବୋଲି କୁହାଯାଇଛି। ଅକ୍ଟୋବର ୨୭ ଅପରାହ୍ନରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଅକ୍ଟୋବର ୨୩ ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ମଧ୍ୟ ରହିଛି।

ଯଦି ବାତ୍ୟା ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଏଁ, ତେବେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର କେତେକ ଅଞ୍ଚଳ ପ୍ରଭାବିତ ହୋଇପାରେ। ବିଶେଷ ଆକଳନ ଅନୁଯାୟୀ, ଅକ୍ଟୋବର ୨୭ ଅପରାହ୍ନରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷାର ପ୍ରଭାବ ରହିପାରେ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଯାଇପାରେ ବୋଲି କିଛି ମଡେଲ୍ ଆକଳନ କରୁଛନ୍ତି। ଏହାର ପ୍ରଭାବରେ ପରବର୍ତ୍ତୀ ସମୟରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ।

ଅନ୍ୟପଟେ ତାମିଲନାଡ଼ୁ ଉପକୂଳ ନିକଟରେ ରହିଥିବା ଅନ୍ୟ ଏକ ଲଘୁଚାପ ଆରବ ସାଗର ଦିଗକୁ ଗତି କରି ଅକ୍ଟୋବର ୨୫ ସୁଦ୍ଧା ଦୁର୍ବଳ ହୋଇପାରେ ବୋଲି କୁହାଯାଉଛି । ଏହା ପରେ ବଙ୍ଗୋପସାଗରରେ ଥିବା ନୂଆ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପାଣିପାଗର ସ୍ଥିତି ଉପରେ ନଜର ରଖିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ପାଣିପାଗ ମଡେଲ୍‌ର ଆକଳନକୁ ଅନୁଧ୍ୟାନ କରାଯାଉଛି ଏବଂ IMD ସହ ନିରନ୍ତର ଯୋଗାଯୋଗ ରଖାଯାଇଛି। ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି। ଏଥିସହ ଲୋକମାନଙ୍କୁ ଆତଙ୍କିତ ନହେବାକୁ ଅପିଲ୍ କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL