ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଡିଫେକ୍ଟ ଲାଏବିଲିଟି ପିରିୟଡ୍ ନିୟମ ଲାଗୁ ହେବ, ଅର୍ଥାତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦିନଠାରୁ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି, ରକ୍ଷଣାବେକ୍ଷଣ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଦାୟୀ ରହିବ ।
ସେହିପରି ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ସରଳ ହୋଇଥିଲା ବେଳେ ଦୀର୍ଘ ମିଆଦି ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇଁ ବ୍ୟବସ୍ଥା ହୋଇଛି । ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସଂକଳ୍ପନାମା ପ୍ରକାଶ ପାଇଛି ।
ସଂକଳ୍ପନାମା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଏବଂ ମିଳିଥିବା ଅନୁଦାନକୁ ଦୃଷ୍ଟିରେ ରଖି ଗ୍ରାମ ସଭା ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିବ । ଏହି ପ୍ରସ୍ତାବଗୁଡ଼ିକୁ ଉକ୍ତ ବ୍ଲକର ନୋଡାଲ ଅଧିକାରୀ ଗ୍ରାମସଭାରୁ ସଂଗ୍ରହ କରି ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ ।









