ଭୁବନେଶ୍ବର: ଚିଲିକାର ବିକାଶ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି । ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ତେଣୁ, ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଚିଲିକାର ସୁରକ୍ଷା ଓ ପରିବେଶର ଉନ୍ନତି ପାଇଁ ଏକ ସମନ୍ୱିତ ଯୋଜନା ଉପସ୍ଥାପନ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ଚିଲିକାର ପୁନରୁଦ୍ଧାର ପାଇଁ ଏହାର ମୂହାଣ ଖୋଳାଯିବ । ଚିଲିକାକୁ ସଂଯୋଗ କରୁଥିବା କେତେକ ପାଣି ଚ୍ୟାନେଲର ମଧ୍ୟ ଖନନ କରାଯିବ। ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଏବଂ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବା ଆଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ଏଥୁସହ ମତ୍ସ୍ୟସମ୍ପଦର ଉନ୍ନତିକରଣ ପାଇଁ ପ୍ରାୟ ଫିସ୍ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଭିତ୍ତିଭୂମିର ବିକାଶ ଓ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଏହାଦ୍ୱାରା ଚିଲିକାର ଲବଣାଂଶରେ ସନ୍ତୁଳନ ରହିବା ସହିତ ଏହାର ଜୈବବିବିଧତାରେ ଉନ୍ନତି ଆସିପାରିବ । ଏଥିପାଇଁ ମୋଟ ୫ ବର୍ଷ ସମୟ ଲାଗିବ ।
ସୂଚନାଯୋଗ୍ୟ ଯେ, ୨୦୦୦ ମସିହା ପରଠାରୁ ଚିଲିକାର ମୂହାଣ ଆଉ ଖୋଳାଯାଇ ନଥିବାରୁ ଏହା କ୍ରମଶଃ ପୋତି ହୋଇପଡ଼ୁଛି, ଯାହାଦ୍ୱାରା ଏହାର ଜୈବସମ୍ପଦ ଧିରେ ଧିରେ କମି ଯାଉଛି । ତେଣୁ, ବର୍ତ୍ତମାନ ଏହାର ସୁରକ୍ଷା ନିହାତି ଆବଶ୍ୟକ ହୋଇପଡ଼ିଛି ।





