ଓଡ଼ିଶା

କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ଅଧ୍ୟାପକ

ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ ।  କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ।  ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର ।  ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।  ଯେଉଁ ଅଧ୍ୟାପକ ବା ପ୍ରଫେସରମାନେ ଶିକ୍ଷାଦାନରେ ଅବହେଳା କରୁଛନ୍ତି କିମ୍ବା ଯେଉଁମାନଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଚିହ୍ନଟ କରି ସମୟ ପୂର୍ବରୁ ଅବସର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ମହାବିଦ୍ୟାଳୟକୁ ଚିଠି ଲେଖାଯାଇଛି ।  ଏନେଇ ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ତଲବ କରାଯାଇଛି ।  ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ଶିକ୍ଷାନୁଷ୍ଠାନକୁ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ଯାଞ୍ଚ କରିବାକୁ କୁହାଯାଇଛି ।  ଅପାରଗ ଅଧ୍ୟାପକଙ୍କୁ ଚିହ୍ନଟ କରିବା ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି ।  ଶିକ୍ଷକଙ୍କ ବାର୍ଷିକ ଶିକ୍ଷାଦାନର ମାନ କିପରି ରହିଛି? ସେମାନଙ୍କର ଆଚରଣ ଏବଂ ସାଧୁତା ସନ୍ତୋଷଜନକ କି ନୁହେଁ? ସେମାନେ କଲେଜରେ କେତେ ନିୟମିତ ଏବଂ ପ୍ରଶାସନିକ କାର୍ଯ୍ୟରେ କେତେ ସହଯୋଗ କରନ୍ତି? ଏହା ଉପରେ ରିପୋର୍ଟରେ ଉଲ୍ଲେଖ ରହିବ  ।

ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପକାଉଛନ୍ତି ।  ଓଡ଼ିଶା ସର୍ଭିସ୍ ରୁଲ୍ (OSR) ଅନୁଯାୟୀ, ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଯେକୌଣସି ଅପାରଗ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେଇପାରିବେ ।  ତେବେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ ଓ ଏଥିପାଇଁ ଆବଶ୍ୟକୀ ଦଲିଲ ବା ପ୍ରମାଣ ରହିବା ଆବଶ୍ୟକ ବୋଲି ବିଭାଗ ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL