ଓଡ଼ିଶା

ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ

ରାଉରକେଲା: ଭାଙ୍ଗୁଛି ମାଓଗଡ଼। ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବାକୁ ଝାଡ଼ଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସିଆରପିଏଫ୍‌ ପକ୍ଷରୁ ଅପରେସନ୍‌କୁ ଜୋରଦାର କରାଯାଇଛି।

ଗୁରୁବାର ପଶ୍ଚିମ ସିଂହଭୂମି ଛୋଟାନାଗରାରେ ନକ୍ସଲ ଓ ଯବାନ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଏରିଆ କମାଣ୍ଡର ଅନଲ୍‌ ଦା’ ଓରଫ ପତିରାମ ମାଝି ସହ ୧୫ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ଆଖି ବୁଜିଥିବା ମାଓବାଦୀଙ୍କ ଭିତରୁ ୧୧ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟ ୪ ଜଣଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ମାରଣାସ୍ତ୍ର, ମାଓ ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି। ୧୫ ମାଓବାଦୀ ନିହତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଚ୍ଛୁ ଓ ତା’ର କିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

ନିହତ ଅନିଲ ଦା’ ନାଁରେ ଝାଡ଼ଖଣ୍ଡ ସରକାର ୧ କୋଟି ୨୦ ଲକ୍ଷ ଓ ଓଡ଼ିଶା ସରକାର ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେହିପରି ନିହତ ହୋଇଥିବା ମାଓବାଦୀ ଅନ୍‌ମୋଲ ନାଁରେ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ, ଓଡ଼ିଶା ସରକାର ୬୫ ଲକ୍ଷ ଘୋଷଣା କରିଥିଲେ। ଅମିତ ନାଁରେ ଝାଡ଼ଖଣ୍ଡ ସରକାର ୪୩ ଲକ୍ଷ ଓ ଓଡ଼ିଶା ସରକାର ୪ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ। ସେହିପରି ପିଣ୍ଟୁ ଓ ଲାଲଜିତ୍‌ ନାଁରେ ଝାଡ଼ଖଣ୍ଡ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଅନଲ ଦା ଓ ଅନ୍‌ମୋଲ ନାଁରେ ୧୪୯ ଲେଖାଏଁ ହିଂସାକାଣ୍ଡ ମାମଲା ରହିଛି। ଅମିତ ନାଁରେ ୯୬, ପିଣ୍ଟୁ ନାଁରେ ୪୭ ହିଂସାକାଣ୍ଡ ମାମଲା ରହିଛି।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL