ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଅଘଟଣ । ଗତକାଲି ପୋଲିସ ମାଡରେ ଜଣେ ନାବାଳକ ଗୁରୁତର ହୋଇଥିବାବେଳେ, ଆଜି ଜଣେ ମହିଳା ଭକ୍ତଙ୍କୁ ଅନ୍ୟ ୨ ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଯାଇଛି । ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁରୁତର ଆହତ ମହିଳା ଜଣକ ହେଲେ ବ୍ରହ୍ମପୁରର ୫୩ ବର୍ଷୀୟା ସୁନୀତା ନାୟକ ବୋଲି ଜଣାପଡିଛି । ସୁନୀତା ଶନିବାର ଦିନ ତାଙ୍କ ପରିବାର ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ସେ ଭିତର ବ୍ୟାରିକେଡ୍ ଭିଡ଼ ମଧ୍ୟରେ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ୨ବ୍ୟକ୍ତି ଠେଲାପେଲା ମଧ୍ୟରେ ତାଙ୍କ ହାତ ମୋଡ଼ି ଠେଲି ଦେଇଥିଲେ ।ଏହି ଘଟଣାରେ ମହିଳାଙ୍କ ଡାହାଣ ହାତ ଭାଙ୍ଗିଯାଇଥିଲା । ପରିବାର ଲୋକେ ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମାଡ଼ ମାରିଥିବା ୨ ବ୍ୟକ୍ତିଙ୍କୁ ସିଂହଦ୍ବାର ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।








