ନୂଆଦିଲ୍ଲୀ : ପ୍ରବଳ ବର୍ଷା ସତ୍ୱେ ଦିଲ୍ଲୀ ୟୁଜିସି ମୁଖ୍ୟାଳୟରେ ଛାତ୍ର ନେତାଙ୍କ ଧାରଣା । କଡା ପୋଲିସ ବନ୍ଦୋବସ୍ତ ମଧ୍ୟରେ ଛାତ୍ର ନେତା ମାନେ ନୂଆ ୟୁଜିସି ଗାଇଡଲାଇନ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ଏକତ୍ରିତ ହୋଇଛନ୍ତି । ବିଭିନ୍ନ ଛାତ୍ର ସଂଗଠନ ଏବଂ ସବର୍ଣ୍ଣ ସମାଜ ଭଳି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଘେରାଉରେ ସାମିଲ ଅଛନ୍ତି । UGC ର ନୂଆ ‘ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬’ କୁ ନେଇ ବିରୋଧ ହେଉଛି । ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ପାଇଁ ଏକ ନୂଆ ନିୟମାବଳୀ ଆଣିଛନ୍ତି । ଏହି ନୂଆ ନିୟମକୁ ନେଇ ବଢୁଛି ବିବାଦ। ଚର୍ଚ୍ଚା ହେଉଛି ନୂଆ ନିୟମ ଯୋଗୁଁ କ୍ୟାମ୍ପସରେ ଭେଦଭାବ ଦୂର ହେବ ନା ବିବାଦ ବଢ଼ିବ ? ବାସ୍ତବରେ ଏ ନିୟମରେ କଣ ଅଛି ଓ କାହିଁକି ବିରୋଧ ହେଉଛି । ସରକାରୀ ଓ ବେସରକାରୀ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ UGC କିଛି ନିର୍ଦ୍ଦେଶ ଦେଇଛନ୍ତି ।
କୁହାଯାଇଛି ଏକ କମିଟି ଗଠନ। ପ୍ରତି କଲେଜରେ ‘ଇକ୍ୱିଟି କମିଟି’ ଏବଂ ଅଭିଯୋଗ କେନ୍ଦ୍ର ଖୋଲିବାକୁ ପଡ଼ିବ । ଜାତି, ଧର୍ମ, ଲିଙ୍ଗ ଏବଂ ଭିନ୍ନକ୍ଷମଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। କମିଟିଗୁଡ଼ିକରେ SC/ST/OBC, ମହିଳା ଏବଂ ଭିନ୍ନକ୍ଷମ ସଦସ୍ୟ ରହିବା ବାଧ୍ୟତାମୂଳକ । ନିୟମ ନ ମାନିଲେ କଲେଜର ଅନୁଦାନ ବନ୍ଦ ହେବ ଏବଂ ଡିଗ୍ରୀର ମାନ୍ୟତା ରଦ୍ଦ ହୋଇପାରେ । ପ୍ରଶ୍ନ ଉଠୁଛି, ୟୁଜିସି ଏ ନିୟମ କାହିଁକି ଆଣିଲା । UGC ଅନୁସାରେ, ୨୦୧୯ରୁ ୨୦୨୩ ମଧ୍ୟରେ ଜାତିଗତ ଭେଦଭାବ ଅଭିଯୋଗ ୧୧୮% ବଢ଼ିଛି, ତେଣୁ ଏହି ପଦକ୍ଷେପ ଜରୁରୀ ।
ନିୟମର ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ, ଅନେକ ଛାତ୍ର ଓ ଶିକ୍ଷକ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କର ମୁଖ୍ୟ ଆପତ୍ତିଗୁଡ଼ିକ ହେଲା, ସାଧାରଣ ବର୍ଗଙ୍କୁ ‘ଦୋଷୀ’ ଭାବେ ଦେଖିବା । ସମାଲୋଚକଙ୍କ କହିବା କଥା ଯେ, ଏହି ନିୟମ ପରୋକ୍ଷରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛି। ମିଥ୍ୟା ଅଭିଯୋଗର ଭୟ ମଧ୍ୟ ରହୁଛି । ଯଦି କେହି ରାଗ ରଖି କାହା ନାଁରେ ମିଥ୍ୟା ଜାତିଗତ ଅଭିଯୋଗ କରେ, ତେବେ ତା’ ବିରୋଧରେ କୌଣସି ଦଣ୍ଡର ବ୍ୟବସ୍ଥା ଏଥିରେ ନାହିଁ । ତେଣୁ ନିୟମର ଦୁରୁପଯୋଗ ହୋଇପାରେ । ଏହାସହ ନିୟମ ଅସ୍ପଷ୍ଟ ରହିଛି । ସାଧାରଣ ଯୁକ୍ତିତର୍କ ବା ମତାନ୍ତରକୁ ମଧ୍ୟ ଜାତିଗତ ରୂପ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ, ଯାହା ଶିକ୍ଷକ ଓ ଛାତ୍ରଙ୍କ କ୍ୟାରିୟର ନଷ୍ଟ କରିଦେବ । ଏହାସହ କ୍ୟାମ୍ପସରେ ଖୋଲାଖୋଲି ଆଲୋଚନା କରିବାକୁ ଲୋକେ ଡରିବେ ।
ଏହା ଦ୍ୱାରା ପାଠପଢ଼ା ମାହୋଲ ଖରାପ ହେବ ବୋଲି ଅନେକ ମନେ କରୁଛନ୍ତି । ବିରୋଧୀଙ୍କ କହିବା କଥା, ଏହି ନିୟମ ଜାତିବାଦ ଦୂର କରିବା ପରିବର୍ତ୍ତେ ଛାତ୍ରଙ୍କ ମନରେ ଜାତି ଭାବନାକୁ ଅଧିକ ଦୃଢ଼ କରିବ । ଏହାସହ ଯୋଗ୍ୟତା ଅବହେଳିତ ହେବ ଏବଂ ଶିକ୍ଷାନୁଷ୍ଠାନରେ ଅଶାନ୍ତି ବଢ଼ିବ। ସୋସିଆଲ ମିଡିଆରେ #UGC_RollBack ଭଳି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ଛାତ୍ରମାନେ ବିକ୍ଷୋଭ କରୁଛନ୍ତି । କିଛି ଯୁବ ନେତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଏବଂ ସରକାରଙ୍କ ଉପରେ ଏହି ନିୟମ ବଦଳାଇବାକୁ ଚାପ ପଡ଼ୁଛି। ସମର୍ଥକଙ୍କ ମତ ଏହି ନିୟମ ସାମାଜିକ ନ୍ୟାୟ ଓ ସମ୍ମାନ ପାଇଁ ଜରୁରୀ । ଭେଦଭାବ ରୋକିବା ନିଶ୍ଚିତ ଭାବେ ଜରୁରୀ । କିନ୍ତୁ ନୂଆ ନିୟମରେ ମିଥ୍ୟା ଅଭିଯୋଗରୁ ରକ୍ଷା ପାଇବା ପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିବା ଦରକାର ବୋଲି ଅଧିକାଂଶ ମନେ କରୁଛନ୍ତି ।





