ବୋରିଗୁମ୍ମା: ବାଡ଼ିରେ ଲୁଚିଥିଲା ଭାଲୁ । ପରିବା ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ କଲା ଆକ୍ରମଣ । ଏଥିରେ ମହିଳାଙ୍କ ମତ୍ୟୁ ଘଟିଥିବା ବେଳେ, ଭାଲୁଟି ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ୍ ବୋଡ଼ିଗାଁ ଟେକିଗୁଡ଼ା ଗାଁରେ । ମୃତକ ହେଉଛନ୍ତି ଗାଁର ପାର୍ବତୀ ମୁଦୁଲି (୭୨) ।
ସୂଚନା ଅନୁସାରେ, ପାର୍ବତୀ ମୁଦୁଲି ଅପରାହ୍ଣରେ ପରିବା ତୋଳିବା ପାଇଁ ଘର ପଛପଟ ବାଡ଼ିକୁ ଯାଇଥିଲେ । ସେହି ସମୟରେ ସେଠାରେ ଥିବା ଏକ ମାଆ ଭାଲୁ ଏବଂ ତା’ର ଦୁଇଟି ଛୁଆ ଭାଲୁ ପାର୍ବତୀଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିପକାଇଥିଲେ। ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇପଡ଼ିଥିଲେ । ତେବେ ତାଙ୍କ ଚିତ୍କାର ଶୁଣି ଗାଁ ଲୋକ ପହଞ୍ଚି ଭାଲୁକୁ ଘଉଡ଼ାଇଥିଲେ । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାର୍ବତୀଙ୍କୁ ଉଦ୍ଧାର କରି କୁମୁଲି ମେଡ଼ିକାଲ ଓ ପରେ ବୋରିଗୁମ୍ମା ମେଡ଼ିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଗାଁ ଲୋକେ ଅଭିଯୋଗ ଅନୁସାରେ, ପ୍ରାୟ ଦୁଇ ମାସ ଧରି ବୋଡ଼ିଗାଁ ଅଞ୍ଚଳରେ ଭାଲୁ ଆତଙ୍କ ଦେଖା ଦେଇଛି । ଏନେଇ ବନ ବିଭାଗକୁ ଅବଗତ କରାଯାଇଛି । ହେଲେବି ଭାଲୁ ଆସି ଆକ୍ରମଣ କରିବା ବିଭାଗ ପକ୍ଷରୁ କରାଯାଉଥିବା ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।







