ନୀଳଗିରି : ଭାଲୁ ସହ ଲଢ଼ି ଜଣେ ଛାତ୍ର ନିଜ ଜୀବନ ବଞ୍ଚାଇବା ଘଟଣା ନୀଳଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଛି । ପୋଡ଼ାଶୋଳ ନିକଟ ପାତ୍ରସାହିର ଧୀରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଭାତ, ନିକଟସ୍ଥ ରାଧାମାଧବ ହାଇସ୍କୁଲର ନବମଶ୍ରେଣୀରେ ପାଠ ପଢ଼ନ୍ତି । ଆଜି ସକାଳୁ ସେ ଗାଁ ନିକଟ ସିଟିସ୍କୁଲ ପଡ଼ିଆ ଦେଇ ଯାଉଥିବା ସମୟରେ ଅଚାନକ ୨ଟି ଭାଲୁ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଗୋଟିଏ ଭାଲୁ ଛାତ୍ର ପ୍ରଭାତଙ୍କୁ ଅତର୍କିତ ଆକ୍ରମଣ କରି ତାଙ୍କ ଜଙ୍ଘ, ପେଟରେ ଗଭୀର କ୍ଷତ ସୃଷ୍ଟି କରିଥିଲା ।
ଏତିକିବେଳେ ବୁଧି ଖଟାଇ ଛାତ୍ର ଜଣକ ସାହସ ଜୁଟାଇ ଭାଲୁ ମୁହଁକୁ ବାରମ୍ବାର ମୁଥା ମାରିଥିଲେ । ପ୍ରାୟ ୩ମିନିଟ ଧରି ଭାଲୁଟି ଆଘାତପ୍ରାପ୍ତ ହେବା ଦେଖି ଛାତ୍ର ଜଣକ ସେହି ସ୍ଥାନରୁ ଦୌଡ଼ିଥିଲେ । ଏହା ଦେଖି ଭାଲୁଟି ମଧ୍ୟ ସେହି ସ୍ଥାନ ଛାଡ଼ି ବିଲ ରାସ୍ତାରେ ଦୌଡ଼ି ଜଙ୍ଗଲ ଆଡ଼କୁ ପଳାଇଥିଲା । ଅନ୍ୟ ଭାଲୁଟି ମଧ୍ୟ ପଛେ ପଛେ ଦୌଡ଼ିଥିଲା । ଛାତ୍ରଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ନୀଳଗିରି ବନବିଭାଗ ପକ୍ଷରୁ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।









