ଭୁବନେଶ୍ବର: ଧୂମଧାମରେ ସରିଲା ଗୋପାଳପୁର ବେଳାଭୂମି ମହୋତ୍ସବ। ଶେଷ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ କୋଟି ଟଙ୍କାର ୧୫ ଟି ପ୍ରକଳ୍ପର ଉଦଘାଟନ ଓ ୪୪୨ କୋଟି ଟଙ୍କାର ୬୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୩୨ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯିବ।
ସେପଟେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉପେନ୍ଦ୍ର ଭଞ୍ଜ ଚେୟାର ପୁନଃସ୍ଥାପନ ପାଇଁ ଘୋଷଣା କରାଯାଇଛି । ଏହାସହ ଚଳିତବର୍ଷ ଠାରୁ କବି ସମ୍ରାଟଙ୍କ ଜୟନ୍ତୀକୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବ । ଆସନ୍ତା ମେ ୧୬ ତାରିଖରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ୭ଦିନ ଧରି ଚାଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପ୍ରଥମେ ସମୁଦ୍ର ଆଳତୀ କରିଥିଳେ । ଗୋପାଳପୁର ମହୋତ୍ସବ ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଆଗାମୀ ଦିନରେ ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହାଦ୍ୱାରା ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍ ଟନ୍ ହେବ । ୫ ହଜାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ ହେବ ।








