ବିହାର : ପୁଅ ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ । ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସିକନ୍ଦରପୁର ଥାନା ଅଞ୍ଚଳର ୧୭ ନମ୍ବର ୱାର୍ଡର ବାଲୁଘାଟ ଗଳି ନମ୍ବର ୩ରେ ପୁଅ ନ ଥିବାରୁ ରାଗରେ ସ୍ୱାମୀ ତାଙ୍କ ଭାଇମାନଙ୍କ ସହିତ ମିଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛି ।
ମୃତକଙ୍କ ନାମ ଫୁଲୋ ଦେବୀ । ହତ୍ୟା ପରେ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଆଶ୍ରମ ଘାଟ ନିକଟରେ ବୁଢି ଗଣ୍ଡକ ନଦୀର ଏକ ନାଳ ମୁହଁରେ ଫିଙ୍ଗି ଦିଆଯାଇଥିଲା । ଶୁକ୍ରବାର ଦିନ ନଦୀ କୂଳରେ କ୍ରିକେଟ ଖେଳୁଥିବା ପିଲାମାନେ ଏକ ବସ୍ତା ଦେଖିଥିଲେ । ଆଉ କୁକୁରମାନେ ସେ ବସ୍ତାକୁ ଧରି ଟାଣିଓଟାରୁ ଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ସିକନ୍ଦରପୁର ଥାନା ପୋଲିସ, ସିଟି ଏସପି, ସିଟି ଏଏସପି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଜାନୁଆରୀ ୨୫ ତାରିଖରେ ସିକନ୍ଦରପୁର ଥାନାରେ ଏକ ଅଭିଯୋଗ ହୋଇଥିଲା । ଜଣେ ମହିଳା ୨୨ ଜାନୁଆରୀରୁ ନିଖୋଜ ଥିବା ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ମହିଳାଙ୍କ ଠିକଣା ଖୋଜି ଖବର ଦେଇଥିଲା । ମୃତ ମହିଳାଙ୍କ ଭାଇ ଶିବନାଥ ଶାହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ।
ଫୁଲୋ ଦେବୀଙ୍କ ଭାଇ ଥାନାରେ ପୂର୍ବରୁ ମହିଳାଙ୍କ ସ୍ୱାମୀ ସନ୍ତୋଷ ଶାହ ଏବଂ ତାଙ୍କ ତିନି ଭାଇଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲେ । ପରିବାର ଅଭିଯୋଗ କରିଛନ୍ତି ଯେ, ମାମଲା ରୁଜୁ କରିବା ପରେ ମଧ୍ୟ ପୋଲିସ କୌଣସି ଆକ୍ସନ ନେଇନଥିଲା । ଆଉ ଯଦି ଆକ୍ସନ ନିଆଯାଇଥାନ୍ତା, ତେବେ ଆଜି ଫୁଲୋ ଦେବୀ ଜୀବିତ ରହିଥାନ୍ତେ ।
ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ସନ୍ତୋଷ ଏବଂ ତାଙ୍କ ପରିବାର ଭଉଣୀର ପୁଅ ନଥିବାରୁ ତାଙ୍କୁ ନିରନ୍ତର ହଇରାଣ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ସତ ଜଣାପଡିବ । ତଥାପି ପୋଲିସ ମାମଲାରେ ଯାଞ୍ଚ ଆରମ୍ଭ କରିଛି ।





