କଙ୍ଗୋ : କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଖଣିର ମାଟି ଧସିଯାଇଥିଲା । ଯାହା ଫଳରେ ସେଠାରେ କାମ କରୁଥିବା ଲୋକେ ମାଟି ତଳେ ପୋତି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
ଉଦ୍ଧାର ସରଞ୍ଜାମର ଅଭାବ ଯୋଗୁ ଦୁର୍ଗମ ପାହାଡିଆ ଅଞ୍ଚଳରେ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ବହୁତ ବିଳମ୍ବ ହେଉଛି । ଭୂସ୍ଖଳନର ବିପଦ ଜାରି ରହିଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ରୁବାୟା ଖଣି ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ବିଶ୍ୱର ପ୍ରାୟ ୧୫ ପ୍ରତିଶତ କୋଲଟାନ୍ ଉତ୍ପାଦନ କରିଥାଏ । କୋଲଟାନ୍ରୁ ଟାଣ୍ଟାଲମ୍ ନାମକ ଏକ ଧାତୁ ଉତ୍ପାଦିତ ହୋଇଥାଏ । ଏହା ସ୍ମାର୍ଟଫୋନ୍, ଲାପଟପ୍ ଓ ବିମାନ ଅଂଶ ନିର୍ମାଣରେ ବ୍ୟବହୃତ ହୁଏ ।
ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଖଣିଟି ୨୦୨୪ ମସିହାରୁ ଏଫ୍ସିଇ/ଏମ୍-୨୩ବିଦ୍ରୋହୀ ଗୋଷ୍ଠୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ବିଦ୍ରୋହୀ ଗୋଷ୍ଠୀ ନିଜର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କାର୍ଯ୍ୟ ପାଇଁ ଖଣିର ରାଜସ୍ୱ ବ୍ୟବହାର କରୁଛି । ପଡ଼ୋଶୀ ରୱାଣ୍ଡା ମଧ୍ୟ ବିଦ୍ରୋହୀମାନଙ୍କୁ ସମର୍ଥନ କରିବାର ଅଭିଯୋଗ ଆସିଛି ।





