ଓଡ଼ିଶା

୧୬୭ ହିତାଧିକାରୀଙ୍କୁ ପକ୍କା ଘର ଦେବ ବିଏମ୍‌ସି

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୧୬୭ଜଣ ହିତାଧିକାରୀଙ୍କୁ ଲଟେରି ଜରିଆରେ ପକ୍କା ଘର ଆବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀର ମୁଣ୍ଡାସାହି, ମା’ ଭଗବତୀ ବସ୍ତି, ମଙ୍ଗଳା ବସ୍ତି ଆଦି ୧୦ରୁ ଅଧିକ ବସ୍ତିର ଏହି ୧୬୭ଜଣ ହିତାଧିକାରୀଙ୍କୁ ପକ୍କାଘର ଦିଆଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଗୃହ ଆବଣ୍ଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କୁ ଦିଆଯିବାକୁ ଥିବା ଘରେ ଅତ୍ୟାଧୁନିକ ସୁବିଧା ରହିବା ବସ୍ତିବାସିନ୍ଦାଙ୍କ ପାଇଁ ୬ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟର ନିର୍ମାଣ କରାଯାଉଛି, ଯେଉଁଠି ଲିଫ୍ଟ ଲାଗିବା ଆପାର୍ଟମେଣ୍ଟର ସମସ୍ତ ଦାୟିତ୍ବ ବୁଝିବା ପାଇଁ ସ୍ବତନ୍ତ୍ର କମିଟି ଗଠନ ହେବା ସବୁଠି ମାର୍କେଟ କମ୍ପ୍ଲେକ୍ସ ସୁବିଧା ରହିବା ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ରହୁଥିବା ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ସେମାନଙ୍କୁ ମାର୍କେଟ କମ୍ପ୍ଲେକ୍ସ ଗୃହ ପ୍ରଦାନ କରାଯିବା ଆର୍ଥିକ ବିକାଶ ସହ ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଆଦି ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି| ବସ୍ତିରେ ରହୁଥିବା ମଧ୍ୟବିତ୍ତ ପରିବାରଙ୍କୁ ସ୍ବଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି | ମେୟର କହିଛନ୍ତି, ବିଭିନ୍ନ ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା କିମ୍ବା ଉଚ୍ଛେଦ ହେବାକୁ ଥିବା ହିତାଧିକାରୀଙ୍କୁ ସରକାର ପର୍ଯ୍ୟାୟକ୍ରମେ ପକ୍କା ଘର ନିର୍ମାଣ କରି ଦେଉଛନ୍ତି |

ସେହି ଘରର ଯତ୍ନ ନେବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ଵ ହିତାଧିକାରୀଙ୍କରା ଏହା ହିତାଧିକାରୀମାନେ ସୁନିଶ୍ଚିତ କରିବାକୁ ମେୟର ସୁଲୋଚନା ଦାସ କହିଥିଲେ । ଘର ସ୍ଥାନାନ୍ତର ବେଳେ କିମ୍ବା ସେଠାରେ ପହଞ୍ଚିବା ପରେ କୌଣସି ହିତାଧିକାରୀ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ବିଦ୍ୟୁତ୍ ଆଲୋକ ଆଦି ସୁବିଧା କରାଯାଇଛି। ଗୃହ ଆବଣ୍ଟନରେ ସ୍ବଚ୍ଛତା ରକ୍ଷା ପାଇଁ ସମସ୍ତ ହିତାଧିକାରୀଙ୍କ ଉପସ୍ଥିତିରେ ଲଟେରି ମାଧ୍ୟମରେ ଗୃହ ଆବଣ୍ଟନ କରାଯାଉଛି ।

ଯଦି କେହି ତଞ୍ଚକତା କରି କିମ୍ବା ମିଥ୍ୟା କାଗଜପତ୍ର ଦାଖଲ କରି ଘର ହାତେଇଥାନ୍ତି, ସେମାନଙ୍କୁ ଘରୁ ବାହାର କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯିବ ବୋଲି କମିସନର୍ ଚଞ୍ଚଳ ରାଣା କହିଥିଲେ । କାର୍ଯ୍ୟକ୍ରମରେ ସ୍ଲାମ ସେଟଲମେଣ୍ଟ କମିଟିର ଅଧ୍ୟକ୍ଷା ମହାମାୟା ସ୍ବାଇଁ, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ମଞ୍ଚାସୀନ ଅତିଥି ଥିଲେ | ଡେପୁଟି କମିସନର ଅଜୟ କୁମାର ମହାନ୍ତି ଓ ସହକାରୀ କମିସନର ସତ୍ୟଜିତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅତିରିକ୍ତ କମିସନର ରତ୍ନାକର ସାହୁ ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL