ଜାତୀୟ

ଅନୁରାଗଙ୍କୁ ସୁପ୍ରିମ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ଏବେ ସେ ପୁଣି ଥରେ ବିସିସିଆଇକୁ ଫେରିପାରିବେ ଓ କ୍ରିକେଟ୍ ପରିଚାଳନା ବ୍ୟାପାରର ସଂପୃକ୍ତ ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ୨୦୧୭ରେ ସୁପ୍ରିମକୋର୍ଟ ଏକ ରାୟ ଦେଇ ଅନୁରାଗଙ୍କୁ ବିସିସିଆଇର ବ୍ୟାପାରରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିଷେଧାଜ୍ଞା ହଟାଇବାକୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗୁରୁବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗ୍ଚୀ ସୁପ୍ରିମ୍କୋର୍ଟଙ୍କ ପୂର୍ବ ରାୟକୁ ବଦଳାଇବା ସହ ଅନୁରାଗଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ୨୦୧୭ରେ ଅନୁରାଗ ଠାକୁରଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦରୁ ହଟାଯାଇଥିଲା । ଏହି ଆଦେଶ ଯୋଗୁଁ ତାଙ୍କ ବିରୁଦ୍ଧରେ ଅବମାନନା ଏବଂ ମିଥ୍ୟା ସାକ୍ଷ୍ୟ ଅଭିଯୋଗ ମଧ୍ୟ ଆସିଥିଲା, ଯଦିଓ ତାଙ୍କୁ ୨୦୧୭ ପରେ କିଛି ଆଶ୍ୱସ୍ତି ମିଳିଥିଲା ।

୨୦୧୬ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ଏକ ରାୟ ପ୍ରଦାନ କରି ଲୋଧା କମିଟି ସଂସ୍କାର ଲାଗୁ କରିବା ସହ ବିସିସିଆଇରେ ଜଣେ ସିଏଜି ନୋମିନିଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଥିଲେ ଯେ ଅନୁରାଗ ଆଇସିସିକୁ ପତ୍ର ଲେଖି ସଂସ୍କାର ପ୍ରକ୍ରିୟାକୁ ବିରୋଧ କରିବାକୁ ଚାପ ପକାଉଥିଲେ । ଏହା ଜଣାପଡ଼ିବା ପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ଅନୁରାଗଙ୍କୁ ବିସିସିଆଇରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL