ଓଡ଼ିଶା

ବନ୍ଧକ ଶ୍ରମ ପ୍ରଥା ଉନ୍ମୂଳନ ପାଇଁ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀଙ୍କ ଶପଥ: ପାଳିତ ହେଲା ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଆଇନର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର :  ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ-୧୯୭୬ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସୁରକ୍ଷା ମଞ୍ଚ’ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ ରାଜ୍ୟରୁ ବନ୍ଧକ ଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ଅବସାନ ପାଇଁ ଶପଥ ନେଇଛନ୍ତି।

ରାଜ୍ୟସ୍ତରୀୟ ସୁରକ୍ଷା ମଞ୍ଚର ଆବାହକ ଡ. ଅମୀୟ ଭୂଷଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ପ୍ରଶାସକ ତଥା ବନ୍ଧକ ଶ୍ରମିକ ଗବେଷକ ଡ଼. ଲକ୍ଷ୍ମୀଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ବନ୍ଧକ ଶ୍ରମ ଭଳି ଏକ ଘୃଣ୍ୟ ପ୍ରଥାର ଅନ୍ତ ପାଇଁ ରାଜ୍ୟବ୍ୟାପୀ ସର୍ଭେ ମାଧ୍ୟମରେ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଜରୁରୀ। ଏଥିପାଇଁ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଚଳିତ ଆଇନର ପ୍ରଭାବୀ କ୍ରିୟାନ୍ୱୟନ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ସମୟରେ ବନ୍ଧକ ଶ୍ରମ ପ୍ରଥା ନିଜର ରୂପ ବଦଳାଇ ଶୋଷଣର ଆଧୁନିକ ମାଧ୍ୟମ ପାଲଟିଛି। ଏହାର ନିରାକରଣ ପାଇଁ ‘SOP’ ଏବଂ ‘ଷ୍ଟେଟ୍ ଆକ୍ସନ ପ୍ଲାନ’ର ସଫଳ ରୂପାୟନ ସହ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ସେହିପରି ବରିଷ୍ଠ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ତୃଣମୂଳ ସ୍ତରରେ ଶ୍ରମିକଙ୍କୁ ଚିହ୍ନଟ କରି ପ୍ରଶାସନ ଓ ପୋଲିସର ସହାୟତା ନେବାକୁ ସାମାଜିକ ସଂଗଠନମାନଙ୍କୁ ଆହ୍ୱାନ ଦେଇଥିଲେ।

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ବରିଷ୍ଠ ସଦସ୍ୟା ସୁଜାତା ନାୟକ ଶିଶୁ ବନ୍ଧକ ଶ୍ରମିକ ଉଦ୍ଧାରକୁ ସରକାର ପ୍ରାଥମିକତା ଦେଉଥିବା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରମୋଦ କିଶୋର ଆଚାର୍ଯ୍ୟ, ଧୀରେନ୍ଦ୍ର ନାଥ ପାତ୍ର, ଦୀପକ ପଟ୍ଟନାୟକ, ଅବସରପ୍ରାପ୍ତ ଶ୍ରମ ଅଧିକାରୀ ନୀଳାମ୍ବର ମିଶାଲ, ଅବସରପ୍ରାପ୍ତ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅବସରପ୍ରାପ୍ତ ପ୍ରଶାସକ ମହେଶ୍ୱର ପାଣିଗ୍ରାହୀ, ସାମ୍ବାଦିକା ରାକ୍ଷୀ ଘୋଷ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମର ଏକ ଭାବପ୍ରବଣ ମୁହୂର୍ତ୍ତରେ ‘ଶ୍ରମ ବାହିନୀ’ର ସମ୍ପାଦିକା ରଂଜିତା ରଣାଙ୍କ ନେତୃତ୍ୱରେ ୪୦ରୁ ଅଧିକ ବନ୍ଧକ ମୁକ୍ତ ଶ୍ରମିକ ସାମିଲ ହୋଇଥିଲେ। ସୁଶ୍ରୀ ସ୍ୱାଧୀନତା ତାଣ୍ଡି ଓ ପୁର୍ଣ୍ଣ୍ୟବତୀ କେତକୀ ନିଜର ଦୁଃଖଦ ଅତୀତ ଓ ମୁକ୍ତିର କାହାଣୀ ବର୍ଣ୍ଣନା କରି ସମସ୍ତଙ୍କୁ ଅଭିଭୂତ କରିଥିଲେ।

ସୁରକ୍ଷା ମଞ୍ଚର ସଦସ୍ୟ ଲୋକନାଥ ମିଶ୍ର, ସୁଦର୍ଶନ ଛୋଟରାୟ, ଦିଲ୍ଲୀପ ଦାସ, ଆଶିଷ ରାଜହଂସ ଓ ଉଦୟନାଥ ବେହେରା ଆଗାମୀ ଦିନ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲେ। ଇଣ୍ଟରନ୍ୟାସନାଲ ଜଷ୍ଟିସ ମିଶନର ରାଜ୍ୟ ମୁଖ୍ୟ ଜୟନ୍ତ କୁମାର ନାଗଙ୍କ ନେତୃତ୍ୱରେ ବିକାଶ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଇଂ ଅନୱୟ ଅଭିନବ ମଞ୍ଚ ପରିଚାଳନା କରିଥିଲେ। ଏହି ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL