ଭୁବନେଶ୍ଵର: ବିଜେଡିରୁ ବିଦା ହେବା ପରେ ବର୍ଷିଲେ ପ୍ରଭାତ ବିଶ୍ବାଳ। ସାମ୍ବାଦିକ ସମ୍ମିଳନୀ କରି କିଛି ଲୋକଙ୍କ ଉପରେ ବର୍ଷିଲେ। କହିଲେ ଦେହରୁ ଧଳା ସାର୍ଟ ଖୋଲି ଖଇରିଆ ପିନ୍ଧୁଛି। ତେବେ ଶନିବାର କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଯାହାକୁ ନେଇ ପ୍ରେସମିଟ୍ କରି ବର୍ଷିଛନ୍ତି ପ୍ରଭାତ ବିଶ୍ବାଳ ।
କାର୍ଯାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଭାତ କହିଛନ୍ତି, ଆଜି ପର୍ଯ୍ୟନ୍ତ ଦଳ ବିରୋଧୀ କାର୍ଯ୍ୟକ୍ରମ କେବେ କରିବା ଶିଖି ନାହିଁ । ଯେଉଁଠି ତ୍ରୁଟି ଯିଏ କରନ୍ତି, ଦଳର ଶୃଙ୍ଖଳିତ କର୍ମୀ ଭାବେ କହିଆସିଛି । ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଯୋଗୁଁ ଆଜି ଧଳା ପୋଷାକରୁ ଖଇରିଆ ପୋଷାକ ପିନ୍ଧୁଛି । ଦଳର କର୍ମୀ ଭାବେ ଆମର କହିବାର ଅଧିକାର ଅଛି । ବର୍ତ୍ତମାନ ଯେଉଁ ସମୟ ଓ ଅବସ୍ଥାରେ ଦଳ ଗତି କରୁଛି, ଯେଉଁମାନେ ପ୍ରକୃତରେ ଦଳକୁ ଆଗକୁ ନେବାକୁ କାମ କରୁଛନ୍ତି, ସେଭଳି ବ୍ୟକ୍ତିତ୍ବଙ୍କୁ ଦେବା ଉଚିତ ବୋଲି ଆଗରୁ କହିଛି ବୋଲି ପ୍ରଭାତ କହିଛନ୍ତି।
୨୮ ଫେବୃଆରୀ ୨୦୨୬ରେ ବିଜେଡି ମୁଖ୍ୟାଳୟ ଦ୍ୱାରା ଜାରି ହୋଇଥିବା ଏବଂ ସଭାପତିଙ୍କ ପକ୍ଷରୁ ଉପ-ସଭାପତି ପ୍ରତାପ ଜେନାଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବହିଷ୍କାର ଆଦେଶରେ ପ୍ରଭାତଙ୍କ କାର୍ଯ୍ୟକୁ ଦଳୀୟ ଶୃଙ୍ଖଳା ପାଇଁ କ୍ଷତିକାରକ ବୋଲି ଉଲ୍ଲେଖ କରାଯାଇଛି। ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ପ୍ରଭାତ ଦଳର ସାମ୍ପ୍ରତିକ ରାଜ୍ୟସଭା ପ୍ରାର୍ଥୀ ଚୟନର ଜଣେ କଠୋର ସମାଲୋଚକ ଅଟନ୍ତି।








