ନୂଆଦିଲ୍ଲୀ : ଇରାନକୁ ଟ୍ରମ୍ପଙ୍କ ଚରମ ବାଣୀ! । ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ । ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ “ସର୍ତ୍ତହୀନ ଆତ୍ମସମର୍ପଣ” କରିବାକୁ କହିଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କୌଣସି ବୁଝାମଣା କରାଯିବ ନାହିଁ । ଇରାନ ଆତ୍ମସମର୍ପଣ କରିବା ପରେ ସେଠାରେ ଏକ ନୂଆ ଏବଂ ଯୋଗ୍ୟ ନେତୃତ୍ୱ ଗଠନ କରାଯିବ। ଇରାନର ପୁନରୁଦ୍ଧାର ପାଇଁ “Make Iran Great Again” (MIGA) ବା “ଇରାନକୁ ପୁଣି ମହାନ କରିବା” ସ୍ଲୋଗାନ ଦେଇଛନ୍ତି ।
ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆମେରିକା ଓ ସହଯୋଗୀ ଦେଶମାନେ ମିଶି ଇରାନକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଆର୍ଥିକ ସମୃଦ୍ଧ କରିବେ। ଏବେ ଇରାନର ପ୍ରମୁଖ ସାମରିକ ଘାଟି ଏବଂ ପରମାଣୁ କେନ୍ଦ୍ର ଉପରେ ଜୋରଦାର ଆକ୍ରମଣ ଜାରି ରହିଛି । ତେହେରାନ ସମେତ ଅନେକ ସହରରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି ଏବଂ ସାଧାରଣ ଲୋକେ ଗଭୀର ସଙ୍କଟରେ ଅଛନ୍ତି । ଅନ୍ୟପଟେ ଇରାନ ପକ୍ଷରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ଯୁଦ୍ଧ ଜାରି ରଖିବାକୁ ଚେତାବନୀ ଦିଆଯାଇଛି ।






