ଓଡ଼ିଶା

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଚାଲିଗଲା ଆଈ-ନାତିଙ୍କ ଜୀବନ

ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ନେତୁଆ ପଞ୍ଚାୟତ ଅନ୍ତର୍ଗତ କପାସୁଦା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଗତ ରାତିରେ ଘରେ ଶୋଇଥିବା ସମୟରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି। କାନ୍ଥ ଭଗ୍ନାବଶେଷ ତଳେ ତାପି ହୋଇ ଆଈ ଓ ନାତିଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ରବିବାର ରାତିରେ ସ୍ବର୍ଗତଃ ନରେନ୍ଦ୍ର ଜେନାଙ୍କ ସ୍ତ୍ରୀ ରାଧିକା ଜେନା (୬୫) ଏବଂ ନାତି ଜ୍ୟୋତିପ୍ରକାଶ ସ୍ବାଇଁ (୧୭)ପରିବାରର ସଦସ୍ୟମାନେ ନିଜ ଘରେ ଶୋଇଥିଲେ। ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଟି କାନ୍ଥ ଦୁର୍ବଳ ହୋଇଯିବା କାରଣରୁ କାନ୍ଥଟି ଭୁଶୁଡ଼ି ଶୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ଆଈ ଏବଂ ନାତିଙ୍କ ଜୀବନ ଚାଲିଯାଇଥିଲା।

କାନ୍ଥ ଭୁଶୁଡ଼ିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାଟି ଅଳିଆ ତଳୁ ଆହତ ନାତୁଣୀ ସ୍ମୃତିରେଖାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ସେହିପରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉକ୍ତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି କଚ୍ଚା ଘରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି। ଗୋଟିଏ ପରିବାରର ଦୁଇ ଜଣଙ୍କର ଏଭଳି ଅକାଳ ବିୟୋଗ ପରେ କପାସୁଦା ଗ୍ରାମ ତଥା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ତେବେ ବାଲେଶ୍ବରରେ ଲଗାଣ ବର୍ଷା ଫଳରେ ବର୍ଷର ଦ୍ବିତୀୟ ବନ୍ୟା ସୃଷ୍ଟି ହୋଇଛି । ବାଲେଶ୍ବରର ଅଧିକାଂଶ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL