ପାଣିପାଗ

ହଜିଯାଉଥିବା ପ୍ରକୃତିର ପଦଚିହ୍ନ, ’ବର୍ଷାର ଲାଲ୍ ଅତିଥି ‘ସାଧବ ବୋହୂ’

ଡା. ରାଜାରାମ ଷଡ଼ଙ୍ଗୀ

ଆଷାଢ଼ର ପ୍ରଥମ ବର୍ଷା ପରେ ଭିଜା ଭିଜା ମାଟି ଉପରେ ଟୁକ୍‌ଟୁକିଆ ଲାଲ୍ ରଙ୍ଗର ଏକ କ୍ଷୁଦ୍ର ଜୀବ ଦେଖାଦେଲେ ଗାଁର ବୃଦ୍ଧମାନେ କହୁଥିଲେ— “ଆସିଗଲା ସାଧବ ବୋହୂ।” ଭଲ ବର୍ଷା ଭଲ ଫସଲ ହେବ।ନାଲି ପାଟ ପିନ୍ଧିଥିବା ନବବଧୂ ପରି ଦେଖାଯାଉଥିବା ଏହି କ୍ଷୁଦ୍ର ଜୀବଟି କେବଳ ଏକ କୀଟ ନୁହେଁ, ବରଂ ବର୍ଷାର ଆଗମନର ପରିଚୟ।ଉର୍ବର ମାଟି ଓ ଭଲ ଫସଲର ପ୍ରତୀକ।ଏହା ଥିଲା ଲୋକବିଶ୍ୱାସ। ଆଜି କିନ୍ତୁ ଏହାର ଦର୍ଶନ ଦୁର୍ଲ୍ଲଭ ହୋଇପଡିଛି।

ଓଡ଼ିଶାର ଗ୍ରାମାଞ୍ଚଳରେ ବାଡ଼ି, ବଗିଚା, ବିଲହିଡ଼, ଘାସ ପଡ଼ିଆ ଓ ଆର୍ଦ୍ର ମାଟିରେ ଏହି ଲାଲ୍ ରଙ୍ଗର ଜୀବଟି ଦୌଡ଼ୁଥିବା ଦୃଶ୍ୟ ଏକଦା ସାଧାରଣ ଥିଲା। କୁନିକୁନି ପିଲାମାନେ ଏହାକୁ ଦେଖି ଆନନ୍ଦିତ ହେଉଥିଲେ, ଚାଷୀମାନଙ୍କ ମନରେ ଜାଗ୍ରତ ହେଉଥିଲା ଭଲ ଅମଳର ଆଶା। ପ୍ରକୃତିପ୍ରେମୀ ଓ କବିମାନଙ୍କ ପାଇଁ ମଧ୍ୟ ଏହା ଥିଲା ପ୍ରେରଣାର ଏକ ସୁନ୍ଦର ଉପାଦାନ।

କିନ୍ତୁ ଆଜି ସମୟ ବଦଳିଛି। ବର୍ଷା ଆସୁଛି, ମାଟି ଭିଜୁଛି, କିନ୍ତୁ ସାଧବ ବୋହୂର ଦେଖା ମିଳୁନାହିଁ। କେଉଁଠି କେଉଁଠି ଅଳ୍ପ ସଂଖ୍ୟାରେ ଦେଖାଗଲେ ମଧ୍ୟ ପୂର୍ବର ସେହି ପ୍ରଚୁରତା ଆଉ ନାହିଁ। ଏହା କେବଳ ଏକ କ୍ଷୁଦ୍ର ଜୀବର ଅନୁପସ୍ଥିତି ନୁହେଁ, ବରଂ ଆମ ପରିବେଶର ବଦଳୁଥିବା ସ୍ୱାସ୍ଥ୍ୟର ଏକ ନିରବ ସତର୍କ ସଙ୍କେତ କୁହାଯାଇପାରେ।

ବୈଜ୍ଞାନିକ ଦୃଷ୍ଟିରୁ ସାଧବ ବୋହୂ ଏକ ରେଡ୍ ଭେଲଭେଟ୍ ମାଇଟ୍। ଏହା ସାଧାରଣ ପୋକ ନୁହେଁ; ବରଂ ମକଡ଼ସା ଗୋଷ୍ଠୀର ଏକ କ୍ଷୁଦ୍ର ପ୍ରାଣୀ। ବର୍ଷାର ପ୍ରଥମ ଆର୍ଦ୍ରତା ପାଇଲେ ଏମାନେ ମାଟି ତଳୁ ବାହାରକୁ ଆସନ୍ତି। ଏହା ମୃତ୍ତିକାର ଜୈବ ବିବିଧତାର ଏକ ସୂଚକ ଏବଂ ପ୍ରାକୃତିକ ପରିବେଶ ସୁସ୍ଥ ଥିବାର ଏକ ଚିହ୍ନ ବୋଲି ବିବେଚନା କରାଯାଏ।

ଏହି କ୍ଷୁଦ୍ର ପ୍ରାଣୀ ମୃତ୍ତିକାରେ ବସବାସ କରୁଥିବା କେତେକ କ୍ଷତିକାରକ କୀଟ ଓ ସେମାନଙ୍କ ଅଣ୍ଡାକୁ ଖାଇ ପ୍ରାକୃତିକ ସନ୍ତୁଳନ ରକ୍ଷାରେ ସହାୟତା କରେ। ସେହି ଦୃଷ୍ଟିରୁ ଏହା ଚାଷୀଙ୍କର ନିରବ ବନ୍ଧୁ ବୋଲି ମଧ୍ୟ କୁହାଯାଇପାରେ।

କିନ୍ତୁ ଆଜି ରାସାୟନିକ କୀଟନାଶକର ଅତ୍ୟଧିକ ବ୍ୟବହାର, ରାସାୟନିକ ସାର, ଜଙ୍ଗଲ ଧ୍ୱଂସ, ଘାସ ପଡ଼ିଆର ଅଭାବ, କଂକ୍ରିଟର ବିସ୍ତାର ଏବଂ ବଢ଼ୁଥିବା ପରିବେଶ ପ୍ରଦୂଷଣ ଏହାର ବାସସ୍ଥାନକୁ ସଙ୍କୁଚିତ କରିଦେଇଛି। ଫଳସ୍ୱରୂପ, ଯେଉଁ ଜୀବକୁ ଏକଦା ବର୍ଷା ଦିନରେ ସହଜରେ ଦେଖିବାକୁ ମିଳୁଥିଲା, ଆଜି ତାହା ଦୁର୍ଲଭ ହୋଇପଡ଼ିଛି।ଅର୍ଥାତ ସାଧବ ବୋହୂର ଅନୁପସ୍ଥିତି କେବଳ ଏକ ପ୍ରଜାତିର ହ୍ରାସ ନୁହେଁ; ଏହା ପରିବେଶର ଅବନତିର ଏକ ସତର୍କ ସଙ୍କେତ। ଜୈବ ବିବିଧତାର ସୁରକ୍ଷା ବିନା ସୁସ୍ଥ ପରିବେଶ ଓ ସ୍ଥାୟୀ କୃଷିର କଳ୍ପନା କରାଯାଇ ପାରିବ ନାହିଁ।

ତେଣୁ ସମୟର ଆହ୍ୱାନ ହେଉଛି—ପ୍ରକୃତିକୁ ତା’ର ସ୍ୱାଭାବିକ ରୂପରେ ବଞ୍ଚିବାକୁ ଦିଅନ୍ତୁ। ରାସାୟନିକ କୀଟନାଶକର ଅନାବଶ୍ୟକ ବ୍ୟବହାର କମାନ୍ତୁ, ଜୈବିକ ଚାଷକୁ ପ୍ରୋତ୍ସାହନ ଦିଅନ୍ତୁ, ଜଙ୍ଗଲ ଓ ଘାସ ପଡ଼ିଆର ସୁରକ୍ଷା କରନ୍ତୁ। ତେବେ ହିଁ ବର୍ଷାର ପ୍ରଥମ ବୁନ୍ଦା ସହ ପୁଣିଥରେ ଭିଜା ମାଟି ଉପରେ ଲାଲ ଟୁକ୍‌ଟୁକିଆ ସାଧବ ବୋହୂର ହସ ଫେରିଆସିବ।

ପ୍ରକୃତିର ପ୍ରତ୍ୟେକ କ୍ଷୁଦ୍ର ପ୍ରାଣୀ ଆମର ସହଯାତ୍ରୀ। ସାଧବ ବୋହୂକୁ ବଞ୍ଚାଇବା ଅର୍ଥ ପ୍ରକୃତିର ସୌନ୍ଦର୍ଯ୍ୟ, କୃଷିର ସନ୍ତୁଳନ ଏବଂ ଆମ ଲୋକପରମ୍ପରାକୁ ବଞ୍ଚାଇବା। ସିଧା କଥାରେ କୁହାଯାଇପାରେ “ପରିବେଶ ବଞ୍ଚାନ୍ତୁ–ସାଧବ ବୋହୂ ବଞ୍ଚାନ୍ତୁ”।

ପ୍ରକୃତିରେ ପ୍ରତ୍ୟେକ ଜୀବର ଏକ ଭୂମିକା ରହିଛି। ଆମକୁ ଅଦରକାରୀ ଲାଗୁଥିବା ଏହି କ୍ଷୁଦ୍ର ଜୀବମାନେ ମଧ୍ୟ ମୃତ୍ତିକାର ଜୈବ ବିବିଧତା ଓ ପରିବେଶର ସନ୍ତୁଳନ ରକ୍ଷାରେ ସହାୟକ। ସେମାନଙ୍କର ଅନୁପସ୍ଥିତି ପରିବେଶ ବ୍ୟବସ୍ଥାରେ ଅସନ୍ତୁଳନ ସୃଷ୍ଟି କରିପାରେ।

ଆଜି ସମୟ ଆସିଛି ପ୍ରକୃତି ସହ ଆମର ସମ୍ପର୍କକୁ ପୁଣିଥରେ ସୁଦୃଢ଼ କରିବାର। ରାସାୟନିକ କୀଟନାଶକର ସଂଯମିତ ବ୍ୟବହାର, ଜୈବିକ ଚାଷକୁ ପ୍ରୋତ୍ସାହନ, ବୃକ୍ଷରୋପଣ ଓ ପ୍ରାକୃତିକ ବାସସ୍ଥାନର ସୁରକ୍ଷା ମାଧ୍ୟମରେ ଏହି ଅମୂଲ୍ୟ ଜୀବ ବିବିଧତାକୁ ବଞ୍ଚାଇ ରଖାଯାଇପାରିବ।

ବର୍ଷାର ଲାଲ୍ ଅତିଥି ‘ସାଧବ ବୋହୂ’ କେବଳ ଏକ ସ୍ମୃତି ହୋଇ ନ ରହୁ। ଆଗାମୀ ପିଢ଼ି ମଧ୍ୟ ଯେପରି ବର୍ଷାର ପ୍ରଥମ ସ୍ପର୍ଶରେ ଏହି ସୁନ୍ଦର ଜୀବକୁ ଦେଖି ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିପାରିବେ, ସେଥିପାଇଁ ପରିବେଶ ସୁରକ୍ଷାକୁ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ହେବ।

ପ୍ରକୃତି ବଞ୍ଚିଲେ ହିଁ ସାଧବ ବୋହୂ ବଞ୍ଚିବ; ସାଧବ ବୋହୂ ବଞ୍ଚିଲେ ଆମ ଲୋକପରମ୍ପରା ଓ ପରିବେଶର ସୌନ୍ଦର୍ଯ୍ୟ ମଧ୍ୟ ଜୀବିତ ରହିବ।

ପଡିଆବାହାଲ, ସମ୍ବଲପୁର
ଫୋନ :୯୪୩୭୪୦୫୪୫୫

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL