ଓଡ଼ିଶା

କଟିଲେ ୨୪.୩୩ ଲକ୍ଷ ଭୋଟର ! ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ ପର୍ଯ୍ୟାୟ ସହ ସମସ୍ତ ଦାବି ଓ ଆପତ୍ତିର ଅନ୍ତିମ ଫଇସଲା କରାଯିବ। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୬, ମେ’ ୧୫ ସୁଦ୍ଧା ରାଜ୍ୟର ମୋଟ ଭୋଟର୍‌ ସଂଖ୍ୟା ୩ କୋଟି ୩୪ ଲକ୍ଷ ୫ ହଜାର ୪୮୬ ଥିଲା। କିନ୍ତୁ, ଏବେ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୯ଲକ୍ଷ ୭୧ ହଜାର ୯୪୧ଜଣ ଯୋଗ୍ୟ ଭୋଟର୍‌ ଚୂଡ଼ାନ୍ତ ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅର୍ଥାତ୍‌ ଅଦ୍ୟାବଧି ଏସ୍‌ଆଇଆର୍‌ ପ୍ରକ୍ରିୟାରେ ପ୍ରାୟ ୨୪ ଲକ୍ଷ ୩୩ ହଜାର ୫୪୫ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିବେ ବୋଲି କୁହାଯାଉଛି। ତେବେ ଶୁଣାଣି ପ୍ରକ୍ରିୟା ଚାଲୁ ରହିଥିବାରୁ ଆଗକୁ ଯୋଗ୍ୟ ଭୋଟର୍‌ଙ୍କ ସଂଖ୍ୟା ବଢ଼ିପାରେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବୁଧବାର ଏହି ସୂଚନା ଦିଆଯାଇଛି।
ଆଜି ସୁଦ୍ଧା ମୋଟ ୫୮ଲକ୍ଷ ୩୬ହଜାର ୪୩୦ ଭୋଟରଙ୍କ ନାମରେ ନୋଟିସ୍‌ ଜାରି କରାଯାଇଥିଲା। ସେଥିମଧ୍ୟରୁ ପ୍ରଶାସନିକ ତତ୍ପରତା ଯୋଗୁଁ ୫୮ଲକ୍ଷ ୩୬ହଜାର ୩୭୪ ଭୋଟର୍‌ଙ୍କ ନିକଟରେ ସଫଳତାର ସହ ନୋଟିସ୍‌ ପହଞ୍ଚାଯାଇଛି। ବର୍ତ୍ତମାନ ସୁଦ୍ଧା ନୋଟିସ୍‌ ପାଇଥିବା ଭୋଟର୍‌ଙ୍କ ଶୁଣାଣି ଶେଷ କରାଯାଇ ସେଥିମଧ୍ୟରୁ ୫୪ଲକ୍ଷ ୨୧ ହଜାର ୮୭୨ ଭୋଟର୍‌ଙ୍କୁ ତାଲିକାରେ ବଜାୟ ରଖାଯାଇଛି। ନୋଟିସ୍‌ ଜାରି କରାଯାଇଥିବା ଭୋଟର୍‌ଙ୍କ ମଧ୍ୟରୁ ଯେଉଁମାନେ ବୈଧ ପ୍ରମାଣପତ୍ର କିମ୍ବା ଠିକ ତଥ୍ୟ ଦାଖଲ କରିବାରେ ଅସମର୍ଥ ହୋଇଛନ୍ତି, ସେମାନଙ୍କ ନାମ ଭୋଟର୍‌ ତାଲିକାରୁ ବାଦ୍ ଦିଆଯିବ।

ଯୋଗ୍ୟ ନୂତନ ନାଗରିକ ଓ ଯୁବ ଭୋଟରମାନଙ୍କୁ ଭୋଟର୍‌ ତାଲିକାରେ ଯୋଡ଼ିବା ପାଇଁ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି। ଫର୍ମ-୬ ଜରିଆରେ ମୋଟ ୨,୭୯,୩୧୫ ଜଣ ନୂତନ ନାମ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଯେଉଁ ଭୋଟର୍‌ମାନଙ୍କ ନାମ ଦୁଇଟି ସ୍ଥାନରେ ଅଛି, ସେମାନେ ଗୋଟିଏ ସ୍ଥାନରୁ ନାମ ହଟାଇ ଅନ୍ୟ ସ୍ଥାନରେ ରଖିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍‌ ଦେବା ପାଇଁ ଫର୍ମ-୭ ଜରିଆରେ ୫୩,୬୨୫ଟି ଆବେଦନ ପ୍ରାପ୍ତ ହୋଇଛି। ଭୋଟର୍‌ ତାଲିକାରେ ଥିବା ନାମ, ଠିକଣା, ବୟସ କିମ୍ବା ଅନ୍ୟାନ୍ୟ ସଂଶୋଧନ ସହ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମକୁ ଏକାଠି ଗୋଟିଏ ମତଦାନ କେନ୍ଦ୍ରରେ ରଖିବା ପାଇଁ ଫର୍ମ-୮ ମାଧ୍ୟମରେ ୧,୯୭,୯୫୨ ଭୋଟର୍‌ ଆବେଦନ କରିଛନ୍ତି। ସମସ୍ତ ପ୍ରାପ୍ତ ଆବେଦନ ଓ ନୋଟିସ୍‌ଗୁଡ଼ିକର ସୂକ୍ଷ୍ମ ଯାଞ୍ଚ ପ୍ରକ୍ରିୟା ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସ୍ତରରେ ଜାରି ରହିଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ କହିଛନ୍ତି ଯେ ଯେପରି କୌଣସି ଯୋଗ୍ୟ ନାଗରିକ ଭୋଟର୍‌ ତାଲିକାରୁ ବଞ୍ଚିତ ନ ହୁଅନ୍ତି ଏବଂ କୌଣସି ଅଯୋଗ୍ୟ ନାମ ଭୋଟର୍‌ ତାଲିକାରେ ନ ରୁହେ, ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବାକୁ ଥିବା ଏହି ଚୂଡ଼ାନ୍ତ ତାଲିକା ଆଗାମୀ ନିର୍ବାଚନୀ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେହିପରି, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ନିର୍ବାଚନୀ ସାକ୍ଷରତାକ୍ଲବ’ କାର୍ଯ୍ୟକାରୀ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରଥମଥର ଭୋଟ୍‌ ଦେବାକୁ ଥିବା ଯୁବକଯୁବତୀଙ୍କୁ ଭୋଟର୍‌ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଉଛନ୍ତି। ନିର୍ବାଚନୀ ସଚେତନତାକୁ ଅଧିକ ପ୍ରସାର କରିବା ପାଇଁ ବିତର୍କ, କୁଇଜ୍‌ ଏବଂ ପୋଷ୍ଟର୍‌ ତିଆରି ପ୍ରତିଯୋଗିତା ଆୟୋଜିତ ହେଉଛି। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ଦିଆଯାଇ ସମ୍ବର୍ଦ୍ଧିତ କରାଯାଉଛି।
ସୂଚନାଯୋଗ୍ୟ, ୨୦୨୬ ମେ’ ୧୫ରେ ରାଜ୍ୟର ମୋଟ୍‌ ଭୋଟର୍‌ଙ୍କ ସଂଖ୍ୟା ୩,୩୪,୦୫,୪୮୬ ଥିଲା। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର୍‌ ୧,୬୮,୮୮,୧୩୫, ମହିଳା ଭୋଟର୍‌ ୧,୬୫,୧୪,୨୬୧ ଏବଂ ତୃତୀୟଲିଙ୍ଗୀ ଭୋଟର୍‌ ୩,୦୯୦ଜଣ ଥିଲେ। କିନ୍ତୁ, ଏସ୍‌ଆଇଆର୍‌ ପ୍ରକ୍ରିୟା(ପ୍ରାକ୍)ରେ ୨୦୨୬ ଜୁଲାଇ ୫ ସୁଦ୍ଧା ୩,୩୩,୯୯,୫୯୧ଜଣ ଭୋଟର୍‌ଙ୍କ ମଧ୍ୟରୁ ୩,୧୩,୮୭,୦୩୪(୯୩.୯୭%) ଭୋଟର୍‌ ସେମାନଙ୍କ ପରିଗଣନା ଫର୍ମ ଦାଖଲ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL