ଜାତୀୟ

FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ଧାରଣା

ନୂଆଦିଲ୍ଲୀ : ଦିଲ୍ଲୀ ସଂସଦ ମାର୍ଗ ଥାନାରେ ହାଇଭୋଲଟେଜ୍ ଡ୍ରାମା । ଛାତ୍ର ଆନ୍ଦୋଳନ ବେଳେ ପେଲେଟ୍ ମାଡ଼ ଘଟଣାରେ FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ଥାନାରେ ରାହୁଲ ଗାନ୍ଧୀ ଧାରଣା ଦେଇଛନ୍ତି । ଜୁଲାଇ ୨୦ରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦୋଳନ ବେଳେ ପେଲେଟ୍ ମାଡ଼ରେ ଛାତ୍ରଛାତ୍ରୀ ଆହତ ହୋଇଥିବା ଘଟଣାକୁ ନେଇ ପୁଣି ତେଜିଛି ବିବାଦ । ଘଟଣାରେ FIR ପଞ୍ଜୀକରଣ ଦାବି କରି ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ଧାରଣାରେ ବସିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପେଲେଟ୍ ଆଘାତର ଶିକାର ଛାତ୍ର ସାହିଲ ଲୋଚାବଙ୍କୁ ସାଙ୍ଗରେ ନେଇ ରାହୁଲ ଥାନାରେ ପହଞ୍ଚିବା ସହ ଘଟଣାରେ ମାମଲା ରୁଜୁ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି ।

ପ୍ରଥମେ ରାହୁଲ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି FIR ପଞ୍ଜୀକରଣ ପାଇଁ ଦାବି ରଖିଥିଲେ । କିନ୍ତୁ ତତ୍କାଳ FIR ରୁଜୁ ହେବା ନେଇ କୌଣସି ସ୍ପଷ୍ଟ ଆଶ୍ୱାସନ ନମିଳିବାରୁ ସେ ଥାନା ଭିତରେ ଧାରଣାରେ ବସିଥିଲେ । ଫଳରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନକୁ କେନ୍ଦ୍ର କରି ରାଜନୈତିକ ଉଷ୍ମତା ବଢ଼ିଛି ।

ଜୁଲାଇ ୨୦ରେ ଜନ୍ତରମନ୍ତର ଅଞ୍ଚଳରୁ ସଂସଦ ଅଭିମୁଖେ ଛାତ୍ରମାନଙ୍କ ପ୍ରତିବାଦ ମାର୍ଚ୍ଚ ବେଳେ ପୋଲିସ ଓ ସୁରକ୍ଷା ବାହିନୀ ସହ ପ୍ରତିବାଦକାରୀଙ୍କ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ ବେଳେ ପେଲେଟ୍ ବ୍ୟବହାର କରାଯାଇଥିବା ଏବଂ ଏଥିରେ ଅନେକ ପ୍ରତିବାଦକାରୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣା ପରେ ପେଲେଟ୍ ବ୍ୟବହାର ଅଭିଯୋଗକୁ ନେଇ ଉଠିଥିଲା ପ୍ରଶ୍ନ। ପ୍ରଥମେ ଦିଲ୍ଲୀ ପୋଲିସ ପକ୍ଷରୁ ପେଲେଟ୍ ବ୍ୟବହାର ହୋଇନଥିବା କୁହାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଭିଡିଓ ସାମ୍ନାକୁ ଆସିଥିବା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାର ଜେନେରାଲ ଡାଏରୀ ଏଣ୍ଟ୍ରିକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଥିଲା ।

ରେକର୍ଡରେ RAF ପକ୍ଷରୁ ଦୁଇ ରାଉଣ୍ଡ ପ୍ଲାଷ୍ଟିକ୍ ପେଲେଟ୍ ସହ ଅନ୍ୟାନ୍ୟ କ୍ରାଉଡ କଣ୍ଟ୍ରୋଲ ଆମୁନିସନ ବ୍ୟବହାର ହୋଇଥିବା ଉଲ୍ଲେଖ ରହିଥିବା ରିପୋର୍ଟ ହୋଇଥିଲା । ପେଲେଟ୍ ଆଘାତରେ ସାହିଲ ଲୋଚାବ ଗୁରୁତର ଆହତ ହୋଇଥିବା ଅଭିଯୋଗ ରହିଛି । ବିଶେଷକରି ତାଙ୍କ ଡାହାଣ ଆଖିରେ ଗୁରୁତର କ୍ଷତି ହୋଇଥିବା ଏବଂ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିବା ନେଇ ରିପୋର୍ଟ ହୋଇଛି । ଏହାପରେ ରାହୁଲ ଗାନ୍ଧୀ ଆହତ ଛାତ୍ରଙ୍କ ପ୍ରସଙ୍ଗ ଉଠାଇବା ସହ ଘଟଣାର ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ଦାବି କରିଆସୁଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି, ଯଦି ସରକାରୀ ରେକର୍ଡରେ ପେଲେଟ୍ ବ୍ୟବହାର ସମ୍ପର୍କିତ ତଥ୍ୟ ରହିଛି ଏବଂ ଏଥିରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି, ତେବେ ଅଭିଯୋଗ ଆଧାରରେ FIR କାହିଁକି ପଞ୍ଜୀକରଣ ହେଉନାହିଁ ? ଏହା କେବଳ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଆହତ ଛାତ୍ରଙ୍କୁ ନ୍ୟାୟ ଦେବାର ପ୍ରଶ୍ନ ବୋଲି ସେ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL