ପାଟଣା: ବିହାର ଜମୁଇ ଅଂଚଳରେ ଘଟିଥିବା ୧୦ମ ଶ୍ରେଣୀ ଛାତ୍ରୀ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବଙ୍କୁ ପୁଲିସ ସୋମବାର ଗିରଫ କରିଛି । ତେବେ ପୁୂଲିସ କବ୍ଜାରୁ ଖସିଯିବାକୁ ଉଦ୍ୟମ କଲାବେଳେ ପୁଲିସକୁ ବାଧ୍ୟହୋଇ ଗୁଳି ଚଳାଇବାକୁ ପଡିଥିଲା, ଯେଉଁଥିରେ ନନ୍ଦନ ଯାଦବଙ୍କ ଗୋଡ଼ରେ ଗୁଳି ବାଜିଛି । ମୁଖ୍ୟ ଅଭିଯୁକ୍ତ ନନ୍ଦନର ମୁଖ୍ୟ ସହଯୋଗୀ କୁହାଯାଉଥିବା ହରିରାମ ଯାଦବଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।
ମୁଙ୍ଗେର ରେଂଜ ପୁଲିସ ଡିଆଇଜି ରକେଶ କୁମାରଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଧରିବାକୁ ଗଠନ କରାଯାଇଥିବା ଏସିଆଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଘଟଣାସ୍ଥଳଠାରୁ ୫ କିମି ଦୂର କୁନ୍ଦନ ବ୍ରଜ ଅଂଚଳରୁ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ ସନ୍ଧ୍ୟାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଓ ୧୦ମ ଶ୍ରେଣୀ ଛାତ୍ରଙ୍କୁ ମାଡ ମରାଯିବା ଘଟଣାରେ ଏ ଦୁହେଁ ମୁଖ୍ୟ ଅଭିଯୁକ୍ତ ଥିଲେ । ଏହି ଛାତ୍ରଛାତ୍ରୀ ଦ୍ୱୟ ଘଟଣାଦିନ ସନ୍ଧ୍ୟାରେ ଏକ ଟୁରିଷ୍ଟ ସ୍ପଟ୍ରୁ ଫେରୁଥିବା ବେଳେ କିଛି ଅସାମାଜିକ ସେମାନଙ୍କୁ ଅଟକାଇ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ।
ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିହାର ସରକାର ସ୍ଥାନୀୟ ଏସଡିପିଓ ଦୀପ୍ତି ମୋନାଲୀଙ୍କ ନେତୃତ୍ୱରେ ଏସଆଇଟି ଗଠନ କରି ଘଟଣାର ତଦନ୍ତ ଚଳାଇଥିଲେ । ଇତିମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି । ଅପରପକ୍ଷରେ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।





