ଅନୁଗୋଳ:ଏକ ସେନ୍ସେସନାଲ୍ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି । ଡେରଜଙ୍ଗ ଡ୍ୟାମର ଜଗୁଆଳି ଜଗନ୍ନାଥ ସେନାପତି ଓରଫ୍ ଜଗନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ କୋର୍ଟ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଅନୁଗୋଳ ସଦର ଥାନା ପୋଲିସର ସଠିକ୍ ତଦନ୍ତ ଓ ଦୃଢ ପ୍ରମାଣ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ମୃତ ଜଗନ୍ନାଥଙ୍କ ସହ ଜଣେ ଅଭିଯୁକ୍ତଙ୍କର ପୂର୍ବରୁ ଶତ୍ରୁତା ରହିଥିଲା । ଏହି ବିବାଦକୁ କେନ୍ଦ୍ର କରି ଗତ ୧୮.୦୯.୨୦୨୧ ରିଖ ରାତି ପ୍ରାୟ ୮:୩୦ ସମୟରେ ଅଭିଯୁକ୍ତମାନେ ଏକ ଭୋଜିର ଆୟୋଜନ ବିଷୟରେ ଆଲୋଚନା କରିବା ବାହାନାରେ ଜଗନ୍ନାଥଙ୍କୁ ବାଇକରେ ବସାଇ ରନ୍ତଲେଇ ଗ୍ରାମ ପାର୍ଶ୍ୱ ଡେରଜଙ୍ଗ ଡ୍ୟାମର ପୂର୍ବ ପାର୍ଶ୍ୱ ବନ୍ଧ ରାସ୍ତାକୁ ନେଇଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ଅନ୍ୟ ଅଭିଯୁକ୍ତମାନେ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯଥା ଲାଠି, ଖଣ୍ଡା ଓ ଭୁଜାଲି ସହ ଜଗନ୍ନାଥଙ୍କୁ ଅଟକାଇଥିଲେ ଏବଂ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିଲା ।
ଏହି ସଂଘାତିକ ହତ୍ୟାକାଣ୍ଡ ପରେ ଅନୁଗୋଳ ସଦର ଥାନା ପୋଲିସ କେସ୍ ନମ୍ବର ୫୬୮/୨୦୨୧ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସଦର ଥାନାର ସବ୍-ଇନ୍ସପେକ୍ଟର (SI) ଶ୍ରୀନିବାସ ସେଠୀ ମାମଲାର ଗୁରୁତ୍ୱକୁ ବୁଝି ଅତି ସନ୍ତର୍ପଣର ସହ ସମସ୍ତ ବୈଜ୍ଞାନିକ ଓ ପ୍ରତ୍ୟକ୍ଷ ପ୍ରମାଣ ସଂଗ୍ରହ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାମଲାର ବିଚାର କରିବା ସହ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ପୋଲିସର ଏହି ସଫଳ ତଦନ୍ତକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।








